ମହାନଦୀରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : କେନ୍ଦ୍ରର ମଧ୍ୟସ୍ଥତାରେ ଆଜି ଦିଲ୍ଲୀରେ ବସୁଛି ଆନ୍ତଃରାଜ୍ୟ ବୈଠକ

37

କନକ ବ୍ୟୁରୋ : ମହାନଦୀର ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ବସୁଛି ଆନ୍ତଃରାଜ୍ୟ ବୈଠକ । କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ଉଭୟ ଓଡ଼ିଶା ଓ ଛତିିଶଗଡ଼ର ମୁଖ୍ୟ ଶାସନ ସଚିବ ଯୋଗ ଦେବେ । ମହାନଦୀର ଉପରମୁଣ୍ଡରେ ବନ୍ଧ ନିର୍ମାଣ ନେଇ ଉଭୟ ସରକାର ମଧ୍ୟରେ ଆଲୋଚନା ହେବ । ଅନ୍ୟପଟେ ମହାନଦୀରେ ଛତିଶଗଡ଼ ସରକାର କରୁଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ କରି ବିଜେଡ଼ି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି । ତେବେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ସଂଜୟ ବାଲିୟାନଙ୍କ ସମର୍ଥନରେ ବାହାରିଛନ୍ତି। ବାଲିୟାନ ଛତିଶଗଡ଼ ସରକାର ଦେଇଥିବା ତଥ୍ୟ ଅନୁସାରେ ଗୃହରେ ତଥ୍ୟ ରଖିଥିବା ସେ କହିଛନ୍ତି । ତେବେ ଯଦି ବିଜେଡ଼ି ରାଜନୈତିକ ଉଦେଶ୍ୟ ରଖି ଏଭଳି କରୁଥାଏ ତେବେ ଏଥିରେ କିଛି କହିବାର ନାହିଁ ବୋଲି ଉମା ଭାରତୀ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଡ୍ୟାମ ନିର୍ମାଣକୁ ନିନ୍ଦା କରିବା ସହ ରମଣ ସିଂହ ଓ ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରିଥିଲେ।