ଦିଲ୍ଲୀରେ ବିଷୁବ ସଂକ୍ରାନ୍ତି ମିଳନ କାର୍ଯ୍ୟକ୍ରମ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି

50

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ମହା ବିଷୁବ ସଂକ୍ରାନ୍ତି ମିଳନ କାର୍ଯ୍ୟକ୍ରମ ଭାରତୀୟ ଜନସଞ୍ଚାର ସଂସ୍ଥାନରେ ପାଳିତ ହୋଇଛି । କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରବାସୀ ଓଡ଼ିଆ ବିକାଶ ସମିତିକୁ ପ୍ରଶଂସା କରି ସେ କହିଛନ୍ତି, ଓଡ଼ିଶାକୁ ବାହାରେ ତା’ର ସଂସ୍କୃତି ବଞ୍ଚାଇ ରଖିଛି । ଏହାସହ ମହାପ୍ରଭୁ ଜଗନ୍ନାଥ କିପରି ଭାରତକୁ ସାମାଜିକ ସମରସତାରେ ବାନ୍ଧି ରଖିଛନ୍ତି, ସେ ମଧ୍ୟ କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଗୋପାଳ ଆର୍ଯ୍ୟ ଯୋଗଦେଇ ଓଡ଼ିଶାର ଜଳ, ଜଙ୍ଗଲ, ଜମି, ଜମା ସମ୍ପଦ ବିଷୟରେ ଆଲୋଚନା କରିଥିଲେ । ସମିତିର ସଭାପତି ସୂର୍ଯ୍ୟନାରାୟଣ ମିଶ୍ର କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିବା ବେଳେ ରାଜ୍ୟସଭା ସାଂସଦ, ଅମର ପଟ୍ଟନାୟକ, ପିଟିଆଇର ସମ୍ପାଦକ, ରାଜେଶ ମହାପାତ୍ର, ସୁଧାଂଶୁ ଷଡଙ୍ଗୀ ଯୋଗ ଦେଇ ଓଡ଼ିଶା ବିକାଶ ସମ୍ପର୍କରେ ଅବଗତ କରାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯତୀନ୍ଦ୍ରନାଥ ସ୍ୱାଇଁ, ସୁରଜିତ ଭୁଜବଳ, ରଞ୍ଜନ ମହାପାତ୍ର, ଶୁଭମୟ ଭଟ୍ଟାଚାର୍ଯ୍ୟ, କ୍ଷିତୀଶ କୁମାର ନାୟକ, ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପ୍ରଫେସର ସତ୍ୟଭୂଷଣ ଦାଶ ସାମିଲ ହୋଇଥିଲେ । ପୂର୍ବରୁ କନଷ୍ଟିଟ୍ୟୁସନ୍ କ୍ଲବରେ ଆୟୋଜିତ ଭିଜନ ଓଡ଼ିଶା ୨୦୩୬/୨୦୮୬ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଦୀପକ କୁମାର ମିଶ୍ର ।