ଏସକର୍ଟ ସର୍ଭିସ ନାଁରେ ଭୁବନେଶ୍ୱରରେ ଚାଲିଛି ଲୁଟପାତ । ଯୁବତୀ ଯୋଗାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ ।

94

କନକ ବ୍ୟୁରୋ: ପୂଜା ବଜାରରେ ସାଇବର ଠକଙ୍କ ଉତ୍ପାତ । ଏସକର୍ଟ ସର୍ଭିସ ନାଁରେ ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ୍ ପୋଲିସ । ଯୁବତୀ ଯୋଗାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଏହି ଠକ ଗ୍ୟାଙ୍ଗରେ ଯୁବତୀ ବି ରହିଛନ୍ତି । ଗୁଗଲରେ ବିଜ୍ଞାପନ ଦେଇ ଲୋକମାନଙ୍କୁ ହୋଟେଲକୁ ଡାକୁଥିଲେ ଯୁବତୀ । ଆଉ କଥାବାର୍ତ୍ତା ଆଳରେ ଅତି ଚତୁରତାର ସହ ଟଙ୍କା ଠକିନେଉଥିଲେ । ଏହି ଠକେଇରେ ମାଷ୍ଟର ମାଇଣ୍ଡ ଦଲାଲ ସୁଶାନ୍ତ ପାତ୍ରକୁ ଏବେ ଗିରଫ କରିଛି କମିଶନରେଟ୍ ପୋଲିସ ।

  • ଏସକର୍ଟ ସର୍ଭିସ ନାଁରେ ଲୋକଙ୍କୁ ଲୁଟ୍
  • ପୁଲିସ ହାତରେ ଧରାପଡିଲେ ୫ ଅଭିଯୁକ୍ତ

ସାରା ରାଜ୍ୟରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବର ମାହୋଲ ଲାଗି ରହିଥିବାବେଳେ, ରାଜଧାନୀରେ ଉତ୍ପାତ କରୁଥିଲେ ଏହି ସାଇବର ଠକ । ସାଧାରଣ ଲୋକଙ୍କ ଭଳି ବେଶ ପୋଷାକ ପିନ୍ଧି, ଏସକର୍ଟ ସର୍ଭିସ ନାଁରେ ଭୁବନେଶ୍ୱରରେ ଲୋକଙ୍କୁ ଭକୁଆ ବନାଉଥିଲେ । ଯୁବତୀ ଯୋଗାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଏହି ଠକ ଗ୍ୟାଂଗରେ ସାମିଲ ଥିଲେ ଯୁବତୀ । ଗୁଗୁଲରେ ବିଜ୍ଞାପନ ଦେଇ ଲୋକମାନଙ୍କୁ ହୋଟେଲକୁ ଡାକୁଥିଲେ । ଆଉ କଥାବାର୍ତା ଆଳରେ ଅତି ଚତୁରତାର ସହିତ ଟଙ୍କା ଠକି ନେବା ପରେ ପ୍ରି-ଆକ୍ଟିଭେଟେଡ ସିମକୁ ଫୋପାଡି ଦେଉଥିଲେ ଓ ଫେରାର ହୋଇଯାଉଥିଲେ ।

ୱେବସିରିଜ୍ର ଜାମତରା ଗ୍ୟାଙ୍ଗ ଭଳି ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ରହି କ୍ରାଇମ ସିଣ୍ଡିକେଟ ଚଲାଇଥିଲେ । ଏସକର୍ଟ ସେବା ଚାହୁଁଥିବା ଗ୍ରାହକ ଯୋଗାଯୋଗ କରିବା ପରେ ହୋଟେଲରେ ଝିଅ ଯୋଗାଇ ଦେବାକୁ କହି ଫୋନ କରୁଥିଲେ ଗ୍ୟାଙ୍ଗର ସଦସ୍ୟ । ଆଉ ଯୋଗାଯୋଗ ପରେ ଠକେଇର ଜାଲ ବିଛାଉଥିଲେ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ସୁବିଧା ଦେଖି ଠକି ନେଉଥିଲେ ଟଙ୍କା । ଅଭିଯୋଗ ହେବା ପରେ ତଦନ୍ତ କରୁଥିଲା ସାଇବର ଥାନା ପୋଲିସ । ଶେଷରେ ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଜବତ ହୋଇଛି ପୁଳା ପୁଳା ସିମ୍, ମୋବାଇଲ, ବ୍ୟାଙ୍କ ଆକାଉଣ୍ଟ, ୮୭ ହଜାର ଟଙ୍କା, ସ୍କାନର କୋର୍ଡ ଜବତ କରିଛି ପୋଲିସ । ଏଥିସହ ୧୫ଟି ଆକାଉଂଟ ଫ୍ରିଜ୍ କରାଯାଇଛି । ଆକାଉଣ୍ଟରେ ୨୦ଲକ୍ଷ ଟଙ୍କା ଥିବା ଜଣାପଡିଛି ।

ଏହି ଗ୍ୟାଙ୍ଗର ୫ଜଣଙ୍କୁ ପୋଲିସ ବାନ୍ଧିବାରେ ସକ୍ଷମ ହୋଇଥିଲେ ବି, ଠକେଇର ମାଷ୍ଟରମାଇଣ୍ଡ ଦଲାଲ ସୁଶାନ୍ତ ପାତ୍ରର ମୁଖ୍ୟ ସହଯୋଗୀ ତଥା ତାର ସ୍ତ୍ରୀ ଓ ଅନ୍ୟ ଜଣେ ଯୁବତୀ ଫେରାର ଅଛନ୍ତି । ଏଥିସହ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ।