ଦୁର୍ଗାପୂଜା କରୁଛନ୍ତି ଦେହଜୀବୀ । ଯୌନକର୍ମୀଙ୍କ ପାଇଁ ବଦନାମ ସୋନାଗାଛିରେ ପହଞ୍ଚିଲା କନକ ନ୍ୟୁଜ ।

371

କନକ ବ୍ୟୁରୋ: ବଦନାମ ସୋନାଗାଛିରେ ଦୁର୍ଗାପୂଜା । କୋଲକାତାର ସୋନାଗାଛି, ଦେହଜୀବୀଙ୍କ ପାଇଁ ସାରା ବିଶ୍ୱରେ ବଦନାମ । ଆଉ ଏହି ବଦନାମ ଗଳିରେ ପ୍ରଥମ ଥର ପାଳନ ହେଉଛି ଦୁର୍ଗାପୂଜା । ରେଡ୍ ଲାଇଟ୍ ଅଞ୍ଚଳରେ ଦଶହରା ପର୍ବ ପାଳନ କରିବାକୁ ସୁପ୍ରିମକୋର୍ଟ ଅନୁମତି ମିଳିବା ପରେ ଉତ୍ସବ ମୁଖର ହୋଇ ଉଠିଛି ସୋନାଗାଛି ।

  • ବଦନାମ ସୋନାଗାଛିରେ କନକ ନ୍ୟୁଜ
  • ଦେହଜୀବୀଙ୍କ ଇଲାକାରେ ଦୁର୍ଗାପୂଜା

ସାରା ବିଶ୍ୱରେ ଅପବାଦ ମୁଣ୍ଡେଇଥିବା ସୋନାଗାଛି ହେଉଛି ବଦନାମ ଗଳି । ଯୌନକର୍ମୀଙ୍କ ପାଇଁ ପରିଚିତ ସୋନାଗାଛିରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମଣ୍ଡପରେ ପୂଜା ପାଉଛନ୍ତି ମାଆ । ତେବେ ସୋନାଗାଛିରେ ସାର୍ବଜନୀନ ଦୁର୍ଗାପୂଜା କରିବା ପାଇଁ ଯୌନକର୍ମୀଙ୍କୁ ସଂଘର୍ଷ କରିବାକୁ ପଡିଛି । ଦେହଜୀବୀଙ୍କ ଦୁର୍ଗାପୂଜା ଦାବି ପରେ ସମାଜ ବିରୋଧ କରିଥିଲା, ତଥାକଥିତ ଭଦ୍ର ଲୋକ ନାକ ଟେକିଥିଲେ । ଏଥିପାଇଁ ସେମାନଙ୍କୁ ନ୍ୟାୟିକ ଲଢେଇ ଲଢିବାକୁ ପଡିଛି । ୨୦୧୩ରୁ ଆଇନଗତ ଲଢେଇ ପରେ ସୁପ୍ରିମକୋର୍ଟ ଦେହଜୀବୀଙ୍କୁ ସାର୍ବଜନୀନ ପୂଜା ପାଇଁ ଅନୁମତି ଦେଇଛନ୍ତି । ଆଉ ଚଳିତ ବର୍ଷ ପ୍ରଥମ ଥର ପାଇଁ ସୋନାଗାଛି ମଣ୍ଡପରେ ପୂଜା ପାଉଛି ମାଆଙ୍କ ମୃଣ୍ମୟୀ ମୂର୍ତି ।

ଦୁର୍ଗାଙ୍କ ମୃଣ୍ମୟୀ ମୂତ୍ତି ନିର୍ମାଣ ପୂର୍ବରୁ ବେଶ୍ୟାଳୟରୁ ମାଟି ଆଣିବା ପରମ୍ପରା ଓ ବିଧି ରହିଛି । ଆଉ ଚଳିତ ବର୍ଷ ସୋନାଗାଛିରୁ ମାଟି ଆଣିବାକୁ ଯାଇଥିବା ଲୋକଙ୍କୁ ମାଟି ଦେବାକୁ ମନା କରିଥିଲେ ଦେହଜୀବୀ । କହିଥିଲେ, ପୂଜା ସମୟରେ ଅଶୁଭ କହି ଦୁରେଇ ଦେଉଥିବା, ସବୁବେଳେ ଦୁରଦୁର ମାରମାର ବ୍ୟବହାର ଦେଖାଉଥିବା ସମାଜ ପାଇଁ କାହିଁକି ସେମାନେ ମାଟି ଦେବେ ।

ଦଶହରା ସମୟରେ ସୋନାଗାଛିରେ ପ୍ରବଳ ଭିଡ ଜମେ । ଦେହ ସୁଖ ପାଇବାକୁ କୋଲକାତା ଓ ରାଜ୍ୟ ବାହାରୁ ଗରାଖଙ୍କ ଭିଡ ଜମେ । ଏପରି ସମୟରେ ଦେହଜୀବୀ ସୋନାଗାଛିରେ ଦୁର୍ଗାପୂଜା କରୁଥିବାରୁ ବେପାରରେ ବାଧା ହେଉଛି କି ବୋଲି ପ୍ରଶ୍ନ କରିଥିଲେ କନକ ନ୍ୟୁଜ ପ୍ରତିନିଧି ମୌସୁମୀ ମହାନ୍ତି । ତେବେ କୋଲକାତାର ସୋନାଗାଛିରେ ପ୍ରାୟ ୧୨ ହଜାର ଯୌନକର୍ମୀ ଅଛନ୍ତି । ସେମାନଙ୍କୁ ନା ସମାଜ ଭଲ ଦୃଷ୍ଟିରେ ଦେଖେ, ନା ଦେହସୁଖ ଲୁଟୁଥିବା ଗରାଖ । ସମାଜରେ ଅବହେଳିତ ଏହି ବର୍ଗ ପ୍ରଥମ ଥର ନିଜେ ଦୁର୍ଗାପୂଜା ଆୟୋଜନ କରି ଆନନ୍ଦ ଉଲ୍ଲାସରେ ମାଆଙ୍କୁ ଆରାଧନା କରୁଛନ୍ତି ।