ପୁଣି ଲେଉଟିବ କି ଲକଡାଉନ୍? ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଡିଏମଇଟି କହିଲେ, ଆବଶ୍ୟକ ପଡିଲେ ହୋଇପାରେ ଲକଡାଉନ୍ ।

355

କନକ ବ୍ୟୁରୋ: ପୁଣି ଦେଶରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଗତ ୨୭ ଦିନ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ପାଖାପାଖି ୧୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୧୩ ହଜାର ୯୯୩ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ୧୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ୨୪ ଘଂଟା ଭିତରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୩୦୭ଜଣ । ଦେଶରେ କିଛି ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣି ବଢ଼ିଛି ସଂକ୍ରମଣ ସଂଖ୍ୟା । ଫଳରେ ୫ଟି ରାଜ୍ୟକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ର, କେରଳ, ପଂଜାବ, ଛତିଶଗଡ, ମଧ୍ୟପ୍ରଦେଶରେ କରୋନୋ ନେଇ ସତର୍କ ରହିବାକୁ ଆଲର୍ଟ କରାଯାଇଛି । ଦେଶରେ ଏବେ ସମୁଦାୟ କରୋନା ସଂକ୍ରମଣ ସଂଖ୍ୟା ୧କୋଟି ୯ଲକ୍ଷ ୭୭ ହଜାର ୩୮୭ ରହିଛି । କରୋନାରେ ୧ଲକ୍ଷ ୫୬ ହଜାର ୨୧୨ ଜଣଙ୍କ ପ୍ରାଣହାନି ହୋଇଛି । ଏବେ ବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୧ ଲକ୍ଷ ୪୩ ହଜାର ୧୨୭ଜଣ ।

ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପରେ ଏବେ ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି । ବର୍ତମାନ ସ୍ଥିତିରେ କରୋନା ସଂକ୍ରମଣ ରାଜ୍ୟରେ କମ ରହିଛି । ତେବେ ଯଦି ଆଗକୁ ସ୍ଥିତି ଖରାପ ଆଡ଼କୁ ଗତି କରେ ଆବଶ୍ୟକ ପଡିଲେ ଲକଡାଉନ କରାଯାଇପାରେ ବୋଲି କହିଛନ୍ତି ଡାକ୍ତର ସିବିକେ ମହାନ୍ତି ।

ମହାରାଷ୍ଟ୍ର ଓ କେରଳରେ ଲକଡ଼ାଉନ୍ ଓ କିଛି ସ୍ଥାନରେ ନାଇଟ କର୍ଫ୍ୟୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢିନି । ଲୋକେ ନିଜେ ସଚେତନ ରହିଲେ, ଲକଡ଼ାଉନ ଏଡ଼ାଇ ହେବ । ପ୍ରତିଦିନ ଆମ ସର୍ଭିଲେନ୍ସ ଟିମ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତିି । କିନ୍ତୁ ୪କୋଟି ଲୋକଙ୍କୁ ପାଖକୁ ଯାଇ ହେବନି । ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି କହିଛନ୍ତି ଡ଼ିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।

ଅନ୍ୟପଟେ କରୋନା ପାଇଁ କଡ଼ାକଡ଼ି ହେବ କଟକଣା । ମାସ୍କ ଓ ସାମାଜିକ ଦୂରତା ଚେକିଂ କଡ଼ାକଡ଼ି ହେବ । ରାଜଧାନୀରେ ଅଧିକା ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ । କମିଶନରେଟ ପୋଲିସର ଏଫୋର୍ସମେଂଟ ଟିମ୍ ଏ ଦିଗରେ କାର୍ଯ୍ୟ କରୁଛି । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ଉମାଶଙ୍କର ଦାସ ।