ଓଡିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୁପ୍ରିମକୋର୍ଟଙ୍କ ନିୟମ ମାନିବାକୁ କଲେ ଆହ୍ୱାନ ।

176

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମି ନଥିବା ବେଳେ ଏହାକୁ ନେଇ ଏବେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଅନୁଧ୍ୟାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ବିରୋଧୀ ଦଳର ନେତା ଚିଠିରେ ଉଲ୍ଲେଖ କରିଛନ୍ତି ।

ପ୍ରଦୀପ୍ତ ନାଏକ ଚିଠିରେ ଲେଖିଛନ୍ତି , ଆନ୍ଧ୍ର ବେଆଇନ୍ ଭାବେ ଓଡିଶାର କିଛି ଅଞ୍ଚଳରେ ନିର୍ବାଚନ କରିଛି । ଏହା ସମ୍ବିଧାନର ବିରୋଧୀ ଅଟେ । ତା ସହିିତ ଏହା ଭାରତୀୟ ସଂଘୀୟ ବ୍ୟବସ୍ଥାର ମଧ୍ୟ ଅବମାନନା କରୁଛି । ୧୯୬୮ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ମଧ୍ୟ ଏହା ଉଲ୍ଲଘଂନ ଅଟେ । ତେଣୁ ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ପ୍ରଶାସନକୁ ଏପରି କରିବାରୁ ରୋକିବାକୁ ପ୍ରଦୀପ୍ତ ନାଏକ ଚିଠିରେ ଲେଖିଛନ୍ତି ।

କୋଟିଆ ଓଡିଶାର ଅବିଚ୍ଛେଦ ଅଙ୍ଗ । ୧୯୩୬ ମସିହାରୁ କୋଟିଆ ଓଡିଶାର ଅପ୍ରତ୍ୟାଶିତ ଅଙ୍ଗ ହୋଇ ରହିଆସିଛି । ୧୯୪୨ ମସିହାରେ ଓଡିଶା, ବିହାର ଓ ମଧ୍ୟପ୍ରଦେଶର ସରକାରଙ୍କ ମିଳିତ ସର୍ଭେରେ ମଧ୍ୟ ପ୍ରମାଣ ରହିଛି । ସେ ସମୟରେ ସର୍ଭେ କରାଯାଇ କୋଟିଆ ଗ୍ରାମ ପଞ୍ଚାୟତର ସାତଟି ଗାଁ ଓଡିଶାର ବୋଲି ନିର୍ଦ୍ଧାରଣ କରାଯାଇଥିଲା । ହେଲେ ଏବେ ଆନ୍ଧ୍ର ପ୍ରଶାସନ ଏଠାରେ ବେଆଇନ୍ ଭାବେ ନିର୍ବାଚନ କରୁଛି । ତେଣୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ଜିଲ୍ଲା ପ୍ରଶାସନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରଦୀପ୍ତ ନାଏକ ନିଜ ଚିଠିରେ ଲେଖିଛନ୍ତି ।