ଋଣ ନେବା ବେଳେ ଗ୍ୟାରେଣ୍ଟର ହେଉଛନ୍ତି କି? ଘରକୁ ଆସିପାରେ ନୋଟିସ। ପଢିନିଅନ୍ତୁ ଗ୍ୟାରେଣ୍ଟର ହେବା ପୂର୍ବରୁ କଣ ରହିଛି ନିୟମ…

167

କନକ ବ୍ୟୁରୋ: ଯେତେବେଳେ କୌଣସି ବି ବ୍ୟକ୍ତିଙ୍କୁ ଲୋନ ବା ଋଣର ଦରକାର ପଡେ, ସେତେବେଳେ ବ୍ୟାଙ୍କରୁ ଲୋନ ଆଣିବା ପାଇଁ ଗ୍ୟାରଣ୍ଟରର ଆବଶ୍ୟକତା ହୋଇଥାଏ । ଗ୍ୟାରେଣ୍ଟର ହେବା ପାଇଁ ଅନେକ ପ୍ରକାରର ନିୟମର ପାଳନ କରିବାକୁ ପଡିଥାଏ । ଯଦି ଆପଣ କୌଣସି ପ୍ରକାରର ଲୋନର ଗ୍ୟାରେଣ୍ଟର ହୋଇଥାନ୍ତି ତେବେ ଆପଣଙ୍କୁ ଅନେକ ପ୍ରକାର କାଗଜପତ୍ରରେ ଦସ୍ତଖତ କରିବାକୁ ପଡିଥାଏ । ତେଣୁ ଔପଚାରିକତା ପାଇଁ କେହି ଗ୍ୟାରେଣ୍ଟର ହୋଇନଥାନ୍ତି । ଯଦି ଲୋନ ନେଇଥିବା ବ୍ୟକ୍ତି ଲୋନର ଅର୍ଥ ଦେଇପାରିନଥାଏ ତେବେ ସେହି ଗ୍ୟାରେଣ୍ଟରଙ୍କ ପାଖକୁ ନୋଟିସ ଆସିଥାଏ । ତେଣୁ ଲୋନ ଗ୍ୟାରେଣ୍ଟର ହେବା ପୂର୍ବରୁ କିଛି ନିୟମ ବାବଦରେ ଜାଣିବା ବହୁତ ଜରୁରୀ ।

ଗ୍ୟାରେଣ୍ଟରଙ୍କ ଉପରେ ବଡ ଦାୟିତ୍ୱ 

ବ୍ୟାଙ୍କ କିମ୍ବା କୌଣସି ବିତ୍ତୀୟ ସଂସ୍ଥାନରୁ ବିନା ଗ୍ୟାରେଣ୍ଟରରେ କୌଣସି ଲୋନ ମିଳିନଥାଏ । ଲୋନର ଗ୍ୟାରେଣ୍ଟର ହେବା ଗୋଟିଏ ବଡ ଦାୟିତ୍ୱ । ଯଦି ଲୋନ ଦେଉଥିବା ବ୍ୟକ୍ତି ଲୋନ ସୁଝିପାରିନଥାଏ ତେବେ ଆଇନତଃ ଭାବେ ଗ୍ୟାରେଣ୍ଟର ଉପରେ ଏହି ଲୋନ ଦେବାର ଦାୟିତ୍ୱ ଆସିଥାଏ ।

ପ୍ରତ୍ୟେକ ବ୍ୟାଙ୍କ ପାଇଁ ଗ୍ୟାରେଣ୍ଟର ହେବାର ଅଲଗା ଅଲଗା ନିୟମ ହୋଇଥାଏ । ତେବେ କିଛି ବ୍ୟାଙ୍କର କଥା ଯଦି ଦେଖିବା ଗ୍ୟାରେଣ୍ଟର ସେ ହୋଇଥାଏ ଯିଏ ଅନ୍ୟ ଜଣେ ବ୍ୟକ୍ତିର ଋଣ ସୁଝିବା ପାଇଁ ସହମତ ହୋଇଥାଏ । ଗ୍ୟାରେଣ୍ଟର ହେବା କେବଳ ଲୋନ ଭରୁଥିବା ବ୍ୟକ୍ତିଙ୍କୁ ଔପଚାରିକ ସହଯୋଗ କରିବା ନୁହେଁ ବରଂ ଲୋନ ଦେବାର ସମାନ ଭାବେ ଦାୟିତ୍ୱ ଥାଏ ।

ଋଣଦାତା ବରାବର ଦୋଷୀ 

ନିୟମ ଅନୁସାରେ, କୌଣସି ଲୋନରେ ଗ୍ୟାରେଣ୍ଟି ଦେଉଥିବା ବ୍ୟକ୍ତି ଲୋନ ନେଉଥିବା ବ୍ୟକ୍ତିଙ୍କ ସହ ବରାବର ଋଣଦାତା ହୋଇଥାନ୍ତି । ଋଣ ପରିଶୋଧରେ ଅନିୟମିତତାର ସ୍ଥିତିରେ ବ୍ୟାଙ୍କ ପ୍ରଥମେ ଲୋନ ନେଇଥିବା ବ୍ୟକ୍ତିଙ୍କୁ ନୋଟିସ ପଠାଇଥାଏ । ଯଦି ତାଙ୍କର ଜବାବ ମିଳିନଥାଏ ତେବେ ବ୍ୟାଙ୍କ ଋଣଦାତାଙ୍କ ସହ ଗ୍ୟାରେଣ୍ଟରଙ୍କୁ ବି ନୋଟିସ ପଠାଇଥାଏ । ପ୍ରଥମେ ବ୍ୟାଙ୍କ ଚେଷ୍ଟା କରିଥାଏ ଲୋନ ନେଇଥିବା ବ୍ୟକ୍ତିଙ୍କ ପାଖରୁ ଟଙ୍କା ଆଦାୟ କରିବା ପାଇଁ ଯଦି ସେ ଟଙ୍କା ସୁଝିପାରିନଥାନ୍ତି ତେବେ ଗ୍ୟାରେଣ୍ଟର ମଧ୍ୟ ଡିଫଲ୍ଟର ହେବା ସହ ଏଥିପାଇଁ ଦାୟୀ ହୋଇଥାନ୍ତି ।

ଗ୍ୟାରେଣ୍ଟରର ଆବଶ୍ୟକତା କାହିଁକି?

ବ୍ୟାଙ୍କ ସବୁପ୍ରକାର ଲୋନରେ ଗ୍ୟାରେଣ୍ଟର ଖୋଜିନଥାଏ । ତେବେ ପର୍ଯ୍ୟାପ୍ତ ପରିମାଣର କାଗଜପତ୍ର ନ ମିଳିବା ପରେ ବ୍ୟାଙ୍କକୁ ଯଦି ଲାଗିଥାଏ ଯେ ଋଣଦାତା ଟଙ୍କା ସୁଝିପାରିବ ନାହିଁ ସେହିସ୍ଥିତିରେ ଗ୍ୟାରେଣ୍ଟର ଆଣିବା ପାଇଁ କହିଥାନ୍ତି । ଯଦି ଜଣେ ଗୋଟିଏ ବଡ ରାଶିର ଲୋନ ନେଉଛି ତେବେ ସେତେବେଳେ ଗ୍ୟାରେଣ୍ଟରର ଅବଶ୍ୟକତା ପଡିଥାଏ । ଏଥିପାଇଁ କୌଣସି ପ୍ରକାରର ଗ୍ୟାରେଣ୍ଟର ହେବା ପୂର୍ବରୁ ସବୁ ନିୟମ ଜାଣିନେବାର ଆବଶ୍ୟକତା ରହିଛି ।

ଗ୍ୟାରେଣ୍ଟର ହେବା ପଡିପାରେ ମହଙ୍ଗା 

ଲୋନ ଗ୍ୟାରେଣ୍ଟର ହେବା ବେଳେ ଆମର କ୍ରେଡିଟ ସ୍କୋର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ନିୟମ ଅନୁସାରେ ଆପଣଙ୍କ କ୍ରେଡିଟ କାର୍ଡର ଯାଞ୍ଚ କରାଯାଇଥାଏ । ଯଦି ଆପଣ ବ୍ୟାଙ୍କରୁ ଲୋନ ନେଇଛନ୍ତି ତେବେ ଆପଣଙ୍କ ଇଏମଆଇର ସ୍ଥିତି କଣ । ଯଦି କ୍ରେଡିଟ କାର୍ଡ ବ୍ୟବହାର କରିଥାନ୍ତି ତେବେ ବିଲ ପୈଠ ସମୟ ଅନୁସାରେ ହେଉଛି ନା ନାହିଁ । ଯଦି ଲୋନ ନେଉଥିବା ବ୍ୟକ୍ତି ତାକୁ ଦେଇପାରନ୍ତି ନାହିଁ ତେବେ କ୍ରେଡିଟ ସ୍କୋର ଖରାପ ହୋଇଥାଏ । ପରେ ଯେତେବେଳେ ଆପଣ ଲୋନ ପାଇଁ ଯିବେ ଆପଣଙ୍କୁ ଏଥିପାଇଁ ଅସୁବିଧାର ସାମ୍ନାକରିବାକୁ ପଡିବ ।