କନକ ବ୍ୟୁରୋ : ଆସନ୍ତାକାଲି ଦେଶ ପାଳୁଛି ୬୮ ତମ ସାଧାରଣତନ୍ତ୍ର ଦିବସ । ଆଉ ଗଣତନ୍ତ୍ରର ଏହି ମହାନପର୍ବ ଉପରେ ପଡିଛି ଆତଙ୍କବାଦୀଙ୍କ ଆଖି । ନୂଆଦିଲ୍ଲୀରେ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସରେ ଆକାଶମାର୍ଗରୁ ଆତଙ୍କବାଦୀଙ୍କ ଆକ୍ରମଣ ହେବାର ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଆତଙ୍କବାଦୀ ସଂଗଠନ ଲସ୍କର-ଇ ତୋଇବା ଆକାଶମାର୍ଗରୁ ହେଲିକପ୍ଟର କିମ୍ବା ଚାଟର୍ଡ ଫ୍ଲାଇଟ୍ ଯୋଗେ ଆକ୍ରମଣ କରିବାର ଯୋଜନା କରୁଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ନୂଆ ଦିଲ୍ଲୀ ଆକାଶରେ ଆସନ୍ତାକାଲି ସକାଳ ୧୦ଟା ୩୫ରୁ ୧୨ଟା ୧୫ ମିନିଟ୍ ମଧ୍ୟରେ ବେସାମରିକ ଉଡାଣ ଉପରେ କଟକଣା ଜାରି କରାଯାଇଛି । ସେହିପରି ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୫୦ ହଜାର ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ପାରାମିଲିଟାରୀ ଫୋର୍ସ ପ୍ରମୁଖ ସାମିଲ ଅଛନ୍ତି । ଆକାଶମାର୍ଗରେ କୌଣସି ଧରଣର ଉଡାଣ ପ୍ରତି ନଜର ରଖିବା ପାଇଁ ଆଂଟି ଡ୍ରୋନ୍ କୌଶଳର ମଧ୍ୟ ଉପଯୋଗ ହେଉଛି ।
ସୁରକ୍ଷା କର୍ମଚାରୀଙ୍କୁ ଆଂଟି ଏୟାରକ୍ରାଫ୍ଟ ଗନ୍ ଦିଆଯାଇଛି । ଏହା ବ୍ୟତୀତ ସମାବେଶ ସ୍ଥଳ ସମେତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗା ଯାଇଛି । ଏବଂ ଏହାର ତଦାରଖ କରିବାପାଇଁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା କରାଯାଇଛି । ଆତଙ୍କବାଦୀମାନେ ଯେଭଳି କୌଣସି ସୁରକ୍ଷାକର୍ମୀଙ୍କ ବେଶରେ ଆସି ଏଠାରେ ପଶି ନଯିବେ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି । ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ସୁରକ୍ଷାକର୍ମୀଙ୍କୁ କଡ଼ା ଯାଂଚ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆତଙ୍କବାଦୀମାନେ ଯବାନଙ୍କ ବେଶରେ ପ୍ରବେଶ କରିବାର ବେଶି ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କ ପରିଚୟ ଠିକରେ ଯାଂଚ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୬/୧୧ ଆତଙ୍କବାଦୀ ହମଲା ଶୈଳୀରେ ମଧ୍ୟ ଆକ୍ରମଣ ନେଇ କିଛି ସୁରକ୍ଷା ଏଜେନ୍ସି ଆଶଙ୍କା କରୁଥିବାରୁ ଆକାଶମାର୍ଗରେ ପ୍ରତିଟି ଉଠାଣ ଉପରେ ମଧ୍ୟ ନଜର ରଖାଯାଇଛି ।