ଆମ୍ମାଙ୍କୁ ଅନ୍ତିମ ବିଦାୟ ! ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜୟଲଳିତାଙ୍କୁ ମରିନା ବିଚରେ ସମାଧି

40

କନକ ବ୍ୟୁରୋ : ଶେଷ ହୋଇଛି ଶେଷଯାତ୍ରା । ଆମ୍ମାଙ୍କୁ ଅନ୍ତିମ ବିଦାୟ ଜଣାଇଛି ସାରା ଦେଶ । ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇଛନ୍ତି ସମସ୍ତେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଚେନ୍ନାଇର ମରିନା ବିଚରେ ଏମଜିଆର୍ ସ୍ମୃତିପୀଠ ନିକଟରେ ଆମ୍ମାଙ୍କୁ ଦିଆଯାଇଛି ସମାଧି ।

ଗତକାଲି ବିଳମ୍ବିତ ରାତିରେ ଆମ୍ମାଙ୍କ ମୃତ୍ୟୁ ଖବର ଆସିବା ଠାରୁ ସାରା ତାମିଲନାଡୁରେ ଖେଳିଯାଇଛି ଶୋକର ଛାୟା । ସାରା ଦେଶ ପାଳିଛି ରାଷ୍ଟ୍ରୀୟ ଶୋକ । ତାମିଲନାଡୁ ସପ୍ତାହେବ୍ୟାପୀ ପାଳିବ ଶୋକ ଦିବସ । ବିଭିନ୍ନ ରାଜ୍ୟ ମଧ୍ୟ ଜୟାଙ୍କୁ ଶ୍ରଦ୍ଧାଂଜଳି ଦେବାକୁ ଦିନିକିଆ ରଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ ।

କାହା ପାଇଁ ସେ ଥିଲେ ନେତ୍ରୀ ପୁଣି କାହା ପାଇଁ ଅଭିନେତ୍ରୀ । ହେଲେ ସେ ଥିଲେ ତାମିଲନାଡୁର ମା’ । ଚେନ୍ନାଇର ଆମ୍ମା । ରାଜନୀତିର ନେତା – ଜନତା ସଂପର୍କକୁ ବାନ୍ଧି ରଖିଥିଲା ଏହି ଗୋଟିଏ ଶବ୍ଦ ଆମ୍ମା । ତେଣୁ ତ ଆମ୍ମା ଯେ ଅନ୍ତିମ ଯାତ୍ରାର ଯାତ୍ରୀ ପାଲଟିଛନ୍ତି ସେକଥାକୁ ବିଶ୍ୱାସ କରି ପାରୁନି ତାମିଲନାଡୁ ।

ସାଗର କୂଳରେ ସମାଧି ନେଉଥିଲେ ମା’ । ହେଲେ ସାରା ଚେନ୍ନାଇରେ ସୃଷ୍ଟି ହୋଇଥିଲା ଲୁହର ସାଗର । କାରଣ କାଲିଠାରୁ ସାରା ରାଜ୍ୟରୁ ବିନ୍ଦୁ ବିନ୍ଦୁ ଲୁହ ହାତ ଧରାଧରି ହୋଇ ଏକାଠି ହୋଇଥିଲେ ଚେନ୍ନାଇରେ । ରାତି ତମାମ୍ ସୋସିଆଲ ମିଡିଆରେ ସାରା ଦେଶରୁ ହୋଇଥିଲା ଶ୍ରଦ୍ଧାଞ୍ଜଳିର ବର୍ଷା । କିଏ କାନ୍ଦି କାନ୍ଦି ଲେଖିଥିଲା ତ ପୁଣି କାହା ଲେଖା ଖୁବ୍ କନ୍ଦାଇଥିଲା । ଆଉ ରାତି ପାହିବା ବେଳକୁ ତ୍ରିରଙ୍ଗା ଘୋଡାଇ ହୋଇ ଚିରନିଦ୍ରାରେ ରାଣୀ ମା’ ଶୋଇ ଯାଇଥିଲେ, ରାଜାଜୀ ହଲରେ ।

ସାଧାରଣ ଠାରୁ ସେବକ । ମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ । ଦିଂବଗତ ନେତ୍ରୀଙ୍କ ଶେଷ ଦର୍ଶନ ପାଇଁ ଲଗାଇଥିଲେ ଭିଡ । ମୃତ୍ୟୁର ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୃତ୍ୟୁର ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଲାଇ ଦେଇଥିଲା ରାଜନୈତିକ ଶତ୍ରୁତାର କଥାକୁ । ତେଣୁ ସକାଳୁ ସକାଳୁ ଦିଲ୍ଲୀ ଛାଡି ଚେନ୍ନାଇରେ ପହଂଚିଲେ ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଧାନ ସଭାରେ ଶୋକ ପ୍ରସ୍ତାବ ଆଗତ କରିବା ପରେ ସିଧା ପହଂଚିଥିଲେ ନିଜ ପ୍ରିୟ ଭଉଣୀଙ୍କ ପାଖରେ । କାରଣ ଜୟାଙ୍କ ସହ ନାବୀନଙ୍କ ରହିଥିଲା ଖୁବ୍ ଘନିଷ୍ଠ ରାଜନୈତିକ ସମ୍ପର୍କ ।

ସେପଟେ ସମୁଦ୍ରକୂଳରେ ସୃଷ୍ଟି ହେଉଥିଲା ଜନସମୁଦ୍ର । କାରଣ ଆଜିର ସୂର୍ଯ୍ୟାସ୍ତ ସହ ତାମିଲନାଡୁ ଆକାଶରୁ ସୂର୍ଯ୍ୟାସ୍ତ ହେଉଥିଲା ଜଣେ ଲୋକପ୍ରିୟ ନେତ୍ରୀଙ୍କର । ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବାର ବେଳ ଆସି ଯାଇଥିଲା । ସାଗର କୂଳକୁ ଘେରାଇ ହୋଇ ରହିଥିଲା ଖାକିର ପହରା । ପାରମ୍ପରିକ ଧଳା ଧୋତି ପିନ୍ଧା ମାଲଭାଇଙ୍କ ଭିଡ ବି ଜମି ସାରିଥିଲା । ହେଲେ ସମସ୍ତେ ମନେ ମନେ ଚାହୁଁଥିଲେ ଏ ବିଦାୟ ବିଳମ୍ବ ହେଉ ।

ସମସ୍ତେ ଚାହୁଁଥିଲେ ସ୍ମୃତି ପାଲଟିଯିବା ପୂର୍ବରୁ ପାର୍ଥିବ ଶରୀର ପାଖରେ ରହିଯାଉ ଆଉ କିଛି ସମୟ । ହେଲେ ବିଧି ବିଧାନରେ ବିଦାୟର ବେଳା ପାଖେଇ ଆସିଥିଲା । ଭିଡ ଭିତରୁ ଶେଷଥର ପାଇଁ ସତେ ଯେମିତି ଜୟା ହାତ ହଲାଇ କହି ଯାଉଥିଲେଳ ତୁମେ ଅଛ ମୋ ହୃଦୟରେ । ଆଉ ଆମ୍ମା ଅଛି ତୁମ ଆତ୍ମାରେ ।