କନେଷ୍ଟବଳରୁ ସିଧା ଡିଏସପି ହେବାକୁ ଯାଉଛନ୍ତି ବିହାରର ଏହି ମହିଳା, ଜାଣନ୍ତୁ କେମିତି ଥିଲା ସଂଘର୍ଷର କାହାଣୀ

1,604

କନକ ବ୍ୟୁରୋ : ଲକ୍ଷ୍ୟ ସ୍ଥିର ଓ ସଂକଳ୍ପ ଦୃଢ ଥିଲେ ଦୁନିଆରେ କିଛି ବି ହାସଲ କରିବା ଆପଣଙ୍କ ପାଇଁ ସମ୍ଭବ । ଏକଥା ଆମେ କହୁନୁ ଏକଥା କରି ଦେଖାଇଛନ୍ତି ବିହାର କନେଷ୍ଟବଳ ପୋଷ୍ଟରେ ଚାକିରି କରୁଥିବା ଜଣେ ମହିଳା । ଏବେ ସୋସିଆଲ ମିଡିଆରେ ବିହାରର ମହିଳା କନେଷ୍ଟବଳ ବବଲୀଙ୍କ ସଂଘର୍ଷର କାହାଣୀ ବେଶ୍ ଭାଇରାଲ ହେବାରେ ଲାଗିଛି । କନେଷ୍ଟବଳ ବବଲୀ ଏବେ ଡିଏସପି ହେବାକୁ ଯାଉଛନ୍ତି । କନେଷ୍ଟବଳ ଚାକିରି ଭିତରେ ବବଲି ବିପିଏସସି ପରୀକ୍ଷା ଦେଇ ତୃତୀୟ ପ୍ରଚେଷ୍ଟାରେ ଚୟନ ହୋଇଛନ୍ତି ।

ବବଲୀ ଜଣେ ବିବାହିତା ମହିଳା ଓ ତାଙ୍କର ଏକ ୭ ମାସର ପିଲା ବି ରହିଛି । ଥରେ ଭାବନ୍ତୁ ତ ସାଧାରଣ ମହିଳାମାନେ ସାମାନ୍ୟ ଘରକାମ କରି ଥକିପଡୁଥିବା ବେଳେ ବବଲୀ ଏକା ସାଂଗରେ ଚାକିରି କରୁଛନ୍ତି, ଘର ସହ କୁନି ପିଲାକୁ ସମ୍ଭାଳୁଛନ୍ତି ଓ ତାହା ସହ ବିପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଏହାକୁ ହିଁ କହନ୍ତି ଦୃଢ ସଂକଳ୍ପ । ଏଭଳି ଦୃଢ ସଂକଳ୍ପ ଓ ସ୍ଥିର ଲକ୍ଷ୍ୟ ଆଗରେ ସବୁ ହାର ମାନିଛି ଓ ବବଲୀ ବିପିଏସସି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି ।

ବବଲିଙ୍କ ଶିକ୍ଷାଗତ ଯୋଗ୍ୟତା କଥା କହିଲେ ସେ ସାଧାରଣ ଭାବେ ବିଏ ପାସ କରିଛନ୍ତି । ସେ ୨୦୧୫ ମସିହାରେ ପୋଲିସରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ସେ ବେଗୁସରାଇ ଜିଲ୍ଲାର ପୋଲିସ୍ ଲାଇନରେ କାର୍ଯ୍ୟରତ ଥିଲେ । ହେଲେ ବିପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଏବେ ସେ ଡିଏସପି ଟ୍ରେନିଂ ପାଇଁ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ବବଲୀଙ୍କ ଏଭଳି ସଫଳତାରେ ଖୁସି ହୋଇ ବେଗୁସରାଇ ଡିଏସପି ଯୋଗେନ୍ଦ୍ର କୁମାର ତାଙ୍କୁ ସମ୍ମାନୀତ କରିଛନ୍ତି ।

ବବଲୀ ତାଙ୍କ ସଂଘର୍ଷର କାହାଣୀ ବଖାଣିବା ବେଳେ କହିଛନ୍ତି କି ତାଙ୍କ ପରିବାରର ଅର୍ଥିକ ସ୍ଥିତି ଭଲ ନୁହେଁ । ପରିବାରର ଆଥିର୍କ ସ୍ଥିତି ସୂଧାରୀବାକୁ ସେ ୨୦୧୫ ମସିହାରେ କନେଷ୍ଟବଳ ଭାବେ ଯୋଗ ଦେଇଥିବାକ କଥା କହିଛନ୍ତି । ହେଲେ ପଢିବା ଓ ବଡ ପଦପଦବୀରେ ଚାକିରି କରିବାର ନିଶା ତାଙ୍କ ମୁଣ୍ଡକୁ ଭାରାକ୍ରାନ୍ତ କରି ରଖିଥିଲା । ଏହାପରେ ସେ ପାଟନା ଯାଇ ପଢାପଢି କଲେ ଓ ଶେଷରେ ବିପିଏସସି ଭଳି କଠିନ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ।