ପିସିସିକୁ ଝଟକା ଦେଲେ ସଗରିଆ ! ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ । 

96

କନକ ବ୍ୟୁରୋ: ସଜାଡ଼ି ହେଉଥିବା କଂଗ୍ରେସ ପାଇଁ ପୁଣି ବିଢ଼ିଲା ଅଡ଼ୁଆ । ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିବା କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ।

ତେବେ ଦଳ ନୁହେଁ କିନ୍ତୁ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଛି । କାରଣ ଗତ କିଛି ମାସ ତଳେ ହାଇକମାଣ୍ଡଙ୍କୁ ଫେରାଦ ହେବା ପରେ ତାଙ୍କୁ ପିସିସି ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତ କରିଥିଲେ । ହେଲେ ସାଧାରଣ ସମ୍ପାଦକ ପଦବୀ ଅପେକ୍ଷା ଜାତୀୟସ୍ତରର ଏସ୍-ସି ସେଲରେ ପଦବୀ ପାଇଁ ଆଶା କରୁଥିଲେ କୃଷ୍ଣଚନ୍ଦ୍ର  । ଏବଂ ସାଧାରଣ ସମ୍ପାଦକ ପଦବୀ ପାଇ ଖୁସି ନଥିବା ଚର୍ଚ୍ଚା ମଧ୍ୟ ହେଉଥିଲା । ଯାହାକି ସେହି ପଦରୁ ବିଧିବଦ୍ଧଭାବେ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେବା ପରେ ଏହା ସ୍ପଷ୍ଟ ହୋଇଛି ।

krushna chandra sagariaତେବେ ପୂର୍ବରୁ ମଧ୍ୟ ଜୟପୁର ବିଧାୟକ ତଥା ରାଜ୍ୟ କଂଗ୍ରେସର ମୂଖ୍ୟ ସଚେତକ ତାରାବାହିନୀପତିଙ୍କ ସହ ତାଙ୍କର ମତାନ୍ତର ବିଷୟ ଚର୍ଚ୍ଚାରେ ଥିଲା । ପରେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ମାନେ ଏହି ସମସ୍ୟାର ସମାଧାନ କରିଥିଲେ ମଧ୍ୟ ଏଥିରେ କୃଷ୍ଣଚନ୍ଦ୍ର ଅସନ୍ତୁଷ୍ଟ ଥିବା ବାରି ହୋଇପଡିଛି । କାରଣ ଆଜି ଏନେଇ ମୁହଁ ଖୋଲିଛନ୍ତି କୃଷ୍ଣ । କହିଛନ୍ତି ଦଳ ଭିତରେ ମୋ ବିରୋଧରେ କିଛି ଲୋକ ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ମୁଁ ଦଳରେ ଅଛି ଏବଂ ରହିବି ଓ ଦଳ ପାଇଁ କାମ କରିବି  । ମୋତେ ଟିକେଟ ନଦେଲେ ମୁଁ କଂଗ୍ରେସ ପ୍ରାର୍ଥୀଙ୍କୁ ସହଯୋଗ କରିବି । ଦଳ ଛାଡ଼ିବା ପାଇଁ କୌଣସି ନିଷ୍ପତି ନେଇନି ବୋଲି ସାମ୍ବାଦିକ ସମ୍ମିନଳୀରେ ସ୍ପଷ୍ଟ କରିଛନ୍ତି ସଗରିଆ ।

congress
image courtesy-https://www.google.co.in

ଅନ୍ୟପଟେ ରାଜ୍ୟରେ କଂଗ୍ରେସର ଅଙ୍କ ଜଟିଳ ହେବାରେ ଲାଗିଛି ।  ଘର ସଜାଡ଼ିବାକୁ ଉଦ୍ୟମ କରୁଥିବା କଂଗ୍ରେସରେ ବର୍ତ୍ତମାନ ଧିରେ ଧିରେ ପୁଣି ଗୋଷ୍ଠି କନ୍ଦଳ ଚାଲିଛି ବୋଲି କୃଷ୍ଣ ସଗରିଆଙ୍କ ବିବୃତିରୁ ବାରି ହୋଇ ପଡୁଛି । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦଳରେ କେତେବେଳେ କନ୍ଦଳ ତ ଆଉ କେତେବେଳେ ପଦବୀକୁ ନେଇ ସମସ୍ୟା ଦେଖାଯାଉଛି । ଏହା ପୂର୍ବରୁ କଂଗ୍ରେସ ହାତ ଖାଲି ହେବ ନା ମଜଭୁତ ହେବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ?