ପ୍ରତ୍ୟେକ ଆଠ ଜଣରେ ଜଣେ ଅନିଦ୍ରାର ଶିକାର, ଜାଣନ୍ତୁ ଭଲ ନିଦର ନୂଆ ଫର୍ମୁଲା ।

475

କନକ ବ୍ୟୁରୋ: ଭଲ ନିଦ ମଣିଷକୁ ସକ୍ରିୟ କରାଏ । ମଣିଷକୁ କଳାତ୍ମକ କରାଏ । ମଣିଷକୁ ଦୟାଳୁ ବନାଏ । କେବଳ ଏତିକି ନୁହେଁ ଭଲ ଜୀବନସାଥୀ, ଭଲ ମାଆ ତଥା ଭଲ ବାପା ହେବାରେ ମଧ୍ୟ ସାହାର୍ଯ୍ୟ କରେ । ଏ କଥା କହିଛନ୍ତି, ଦି ସ୍ପିଲ ପ୍ରେସକ୍ରିପସନର ଲେଖକ ଡା ଏରିକ ପ୍ରେଥର । ଏରିକ ବର୍ତ୍ତମାନ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗରେ କାର୍ଯ୍ୟରତ ରହିଛନ୍ତି । ତେବେ ଆମେ ପଚାରିବାକୁ ଚାହୁଁଛୁ କଣ ରାତିରେ ଆପଣକୁ ଭଲ ନିଦ ହେଉଛି?  ଯଦି ନିଦ ଠିକରେ ହେଉନାହିଁ ତେବେ କଣ ଉପାୟ ଅଛି ଭଲ ନିଦ ପାଇଁ?

ଡାକ୍ତର ଏରିକ ନିଦ ପାଇଁ ମେଡିସିନ ନେବାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି । ତେବେ ରିସର୍ଚ୍ଚରୁ ଜଣାପଡିଛି ଯେ, ବିଶ୍ୱର ପ୍ରତ୍ୟେକ ଆଠ ଜଣରେ ଜଣେ ବ୍ୟକ୍ତି ଅନିଦ୍ରା ବା ନିଦ୍ରାହୀନତାର ଶିକାର ହେଉଛନ୍ତି । ତେବେ ସେହି ଅଷ୍ଟମ ବ୍ୟକ୍ତି ଆପଣ କିମ୍ବା ଆପଣଙ୍କର କେହି ସହଯୋଗୀ ନୁହନ୍ତି ତ? ଏହି ପ୍ରଶ୍ନ ଏଥିପାଇଁ ଜରୁରୀ କାରଣ, ନିଦ ଠିକରେ ପୂରା ନହେବା ଦ୍ୱାରା ଆପଣଙ୍କ ଦିନ ପ୍ରଭାବିତ ହୋଇଥାଏ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ରାତିରେ ନିଦ ପୂରା ନହେବା କାରଣରୁ ଲୋକଙ୍କ କାମ କରିବାର କ୍ଷମତା ହ୍ରାସପାଉଛି । ତେବେ ଭଲ ନିଦ ପାଇଁ ଅନେକ ଉପାୟ ରହିଛି । ଡାକ୍ତର ଏରିକ ମଧ୍ୟ ଭଲ ନିଦ ପାଇଁ କିଛି ଉପାୟ କହିଛନ୍ତି ।

ଭଲ ନିଦ ପାଇଁ ଆପଣ ସନ୍ଧ୍ୟା ସମୟରେ ପୌଷ୍ଟିକ ଏବଂ ହାଲୁକା ଜଳଖିଆ ଗ୍ରହଣ କରନ୍ତୁ । ଭଲ ନିଦ ପାଇଁ ଆପଣଙ୍କୁ ଚା ଏବଂ କଫି ଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ । ଶୋଇବାର ୬ ଘଣ୍ଟା ପୂର୍ବରୁ ଚା କିମ୍ବା କଫି ସେବନ କରନ୍ତୁ ନାହିଁ । ଏହା ଛଡା ଆପଣ ବୁଲାବୁଲି, ଗୀତ ଶୁଣିବା, କଳାତ୍ମକ କାମ କରିବା ତଥା ନିଜ ବନ୍ଧୁ ଏବଂ ପରିବାରଲୋକଙ୍କ ସହ କଥା ହେଲେ ଭଲ ନିଦ ଆସିପାରିବ ।

ଘରେ ଥିବା ନିଦକୁ ଭିତରର ସାଜସଜ୍ଜା ମଧ୍ୟ ପ୍ରଭାବିତ କରିଥାଏ । ଶୋଇବା ସ୍ଥାନ କିମ୍ବା ଖଟକୁ ଏପଟ ସେପଟ କରିବା ଦ୍ୱାରା ମଧ୍ୟ ନିଦ ଉପରେ ପ୍ରଭାବ ପଡିଥାଏ । ସେହିଭଳି ପ୍ରତ୍ୟେକ ଦିନ ଗୋଟିଏ ଜାଗାରେ ସେହି ସମାନ ଢଙ୍ଗରେ ଶୋଇବା ଦ୍ୱାରା ମଧ୍ୟ ନିଦ ଖରାପ ହୋଇଥାଏ । ଯଦି କିଛି ଅସୁବିଧା ହେଉଛି ତେବେ ଆପଣ ସେହି ଅସୁବିଧାକୁ ଲେଖିବାର ଅଭ୍ୟାସ କରନ୍ତୁ । ଏହା କରିବା ଦ୍ୱାରା ଭଲ ନିଦ ଆସିପାରିବ ।

ଭଲ ନିଦ ପାଇଁ ଶୋଇବା ଘରର ତାପମାତ୍ରା ମଧ୍ୟ ଠିକ୍ ରହିବା ଦରକାର । ଶୋଇବା ସମୟରେ ଘରକୁ ଥଣ୍ଡା ରଖିବା ଜରୁରୀ । ଲାପଟପ, କମ୍ପ୍ୟୁଟର ନରଖିବା ହିଁ ଭଲ । ଚେଷ୍ଟା କରନ୍ତୁ ଶୋଇବା ସମୟରେ ମୋବାଇଲ ନିଜ ଠାରୁ ଦୂରେଇ ରଖନ୍ତୁ । ରୁମକୁ ଅନ୍ଧାରରେ ରଖିବା ମଧ୍ୟ ନିହାତି ଆବଶ୍ୟକ । ରୁମରେ ଆଲୁଅ ଜଳିବା ଦ୍ୱାରା ନିଦରେ ବାଧା ଦେଖାଦେଇଥାଏ । ଅନ୍ଧାରକୁ ଅନୁଭବ କରିବା ପାଇଁ ଆପଣ ସ୍ଲିପ୍ ମାସ୍କ ମଧ୍ୟ ବ୍ୟବହାର କରିପାରିବେ ।

ସେହିଭଳି ଶୋଇବା ବେଳେ ମୁଣ୍ଡକୁ ଥଣ୍ଡା ରଖିବା ନିହାତି ଜରୁରୀ । ତେଣୁ କାମ ଶେଷ କରିବା ପରେ ନିଜକୁ ସମୟ ଦିଅନ୍ତୁ । ନିଜର ପସନ୍ଦର ଟିଭି ସୋ ମଧ୍ୟ ଆପଣ ଦେଖିପାରିବେ । ଯଦି ଶୋଇବାର ୨୦ ମିନିଟ ମଧ୍ୟରେ ଆପଣଙ୍କୁ ନିଦ ଆସୁନାହିଁ ତେବେ ଆପଣ ଛାତ ଉପରେ କିମ୍ବା ନିଜ ଘର ବାରଣ୍ଡାରେ ଟିକେ ବୁଲାବୁଲି କରନ୍ତୁ । ନିଜର ମନପସନ୍ଦର ବହି ପଢିବା ମଧ୍ୟ ଭଲ ଅଭ୍ୟାସ । ଏହି ଉପାୟ କରିଲେ ଆପଣ ଗୋଟିଏ ଭଲ ନିଦ ପାଇପାରିବେ ।