ଭାରତରେ ରାଷ୍ଟ୍ରପତିଙ୍କୁ ମାସିକ କେତେ ଟଙ୍କା ମିଳେ ଦରମା ? ଅବସର ନେବା ପରେ ସରକାର ଯୋଗାଇ ଦେଇଥାନ୍ତି କେଉଁ ସୁବିଧା ?

524

କନକ ବ୍ୟୁରୋ : ଗୁରୁବାର ଦିନ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ଘୋଷଣା ମୁତାବକ ଜୁଲାଇ ୧୮ ତାରିଖରେ ପରବତ୍ତି ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ଜୁଲାଇ ୨୧ ତାରିଖରେ ମତ ଗଣନା ହେବ ବୋଲି କୁହାଯାଇଛି । ନିର୍ବାଚକ ମଣ୍ଡଲୀରେ ମୋଟ ୪୮୦୯ ଜଣ ସାଂସଦ ଓ ବିଧାୟକ ମତଦାନ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ସମାପ୍ତ ହେଉଥିବାରୁ ଜୁଲାଇ ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ସେପଟେ ଏପର୍ଯ୍ୟନ୍ତ ନା ଏନଡିଏ ନା ୟୁପିଏ କେହି ବି ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାଁନ୍ତି ।

ଆଜି ଆମେ ଆପଣଙ୍କୁ ରାଷ୍ଟ୍ରପତି ପଦ ସହ ଜଡିତ କିଛି ରୋଚକ ସୂଚନା ଦେବାକୁ ଯାଉଛୁ । ସମ୍ବିଧାନ ମୁତାବକ ରାଷ୍ଟ୍ରପତି ଦେଶର ମୁଖିଆ ହେବ ସହ ଦେଶର ପ୍ରଥମ ନାଗରିକ । ଏହାସହ ଭାରତର ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ବଳର କମାଣ୍ଡର-ଇନ୍-ଚିଫ ପଦରେ ମଧ୍ୟ ରହିଥାନ୍ତି ।

ରାଷ୍ଟ୍ରପତି ରାଷ୍ଟ୍ରପତି ଭବନରେ ରହିଥାନ୍ତି ଓ ସାରା ବିଶ୍ୱ ତୁଳନାରେ ଭାରତର ରାଷ୍ଟ୍ରପତି ଭବନ ହେଉଛି ସବୁଠାରୁ ବଡ ଭବନ । ଭାରତର ରାଷ୍ଟ୍ରପତି ଭବନକୁ ରାଇସିନା ହିଲ୍ କୁହାଯାଇଥାଏ । ଏହି ଭବନ ମୋଟ ୨,୦୦,୦୦୦ ବର୍ଗଫୁଟ ପରିମିତ । ଏହା ମଧ୍ୟରେ ୩୪୦ ଟି ଘର ରହିଛି ।

ଭାରତର ରାଷ୍ଟ୍ରପତିଙ୍କ ଦରମା ଓ ଭତ୍ତା ବାବଦରେ ସଂସଦ ନିଷ୍ପତ୍ତି ନେଇଥାଏ । ଭାରତର ରାଷ୍ଟ୍ରପତି ପ୍ରତି ମାସରେ ୫ ଲକ୍ଷ ଟଙ୍କା ଦରମା ପାଇଥାନ୍ତି । ମାସିକ ଦରମା ବ୍ୟତୀତ ରାଷ୍ଟ୍ରପତିଙ୍କୁ ଅନ୍ୟ କିଛି ଭତ୍ତା ବି ପ୍ରଦାନ କରାଯାଇଥାଏ । ଏହି କ୍ରମରେ ଦେଶର ରାଷ୍ଟ୍ରପତି ଆଜୀବନ ମାଗଣା ଚିକିତ୍ସା ସୁବିଧା ପାଇଥାନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କଷ୍ଟମ-ବିଲ୍ଟ ବ୍ଲାକ ମର୍ସିଡିଜ ବେଞ୍ଚ ଏସ୬୦୦ ପୁଲମୃାନ ଗାର୍ଡର ବ୍ୟବସ୍ଥା ଥାଏ । ଏହାସହ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ଏକ ଲମ୍ବା ଗାଡି ଲିମୋଜିନ ବି ବ୍ୟବହାର କରାଯାଇଥାଏ ।

ଅନ୍ୟପଟେ ଯଦି ଦେଖିବା ତେବେ ରାଷ୍ଟ୍ରପତି ତାଙ୍କ ପଦରୁ ଅବସର ନେବା ପରେ ବି ସରକାରଙ୍କ ତରଫରୁ ତାଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥାଏ । ଯାହା ମଧ୍ୟରେ ମାସିକ ୧.୫ ଲକ୍ଷ ଟଙ୍କାର ପେନସନ୍ ଓ ତାଙ୍କ ପତ୍ନୀଙ୍କୁ ମାସିକ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥାଏ । ଅନ୍ୟପଟେ ଅବସର ପରେ ବି ତାଙ୍କୁ ଏକ ସୁସଜ୍ଜିତ ଘର ବିନା ଭଡାରେ ସରକାର ଯୋଗାଇ ଦେଇଥାନ୍ତି ।

କେବଳ ସେତିକି ନୁହେଁ ଅବସର ପରେ ରାଷ୍ଟ୍ରପତିଙ୍କୁ ଦୁଇଟି ମାଗଣା ଲ୍ୟାଣ୍ଡଲାଇନ ଫୋନ ମଧ୍ୟ ଦିଆଯାଇଥାଏ । ଅନ୍ୟପଟେ ୫ ଜଣ ଘରୋଇ କର୍ମଚାରୀଙ୍କ ବାର୍ଷିକ ଖର୍ଚ୍ଚ ବାବଦରେ ୬୦ ହଜାର ଟଙ୍କା ସରକାର ପ୍ରଦାନ କରିଥାନ୍ତି । ଅବସର ପରେ ବି ରାଷ୍ଟ୍ରପତିଙ୍କୁ ମାଗଣା ବିମାନ ସେବା ସହ ଜଣେ ମାର୍ଗ ଦର୍ଶକ ନିୟୋଜିତ କରିଥାନ୍ତି ଭାରତ ସରକାର ।