ବମ୍ବେ ହାଇକୋର୍ଟଙ୍କ ଆଉ ଏକ ବିବାଦୀୟ ଟିପ୍ପଣୀ : କହିଲେ, ଓଠରେ ଚୁମ୍ବନ ନୁହେଁ ଅପ୍ରାକୃତିକ ସମ୍ପର୍କ; ପ୍ରେମର ସହ ସ୍ପର୍ଶ କରିବାକୁ କୁହାଯିବନି ଉତ୍ପୀଡ଼ନ

609

କନକ ବ୍ୟୁରୋ : ଓଠରେ ଚୁମ୍ବନ ଅପ୍ରାକୃତିକ ଶାରୀରିକ ସମ୍ପର୍କ ନୁହେଁ । ଏକ ମାମଲାର ଶୁଣାଣି କରିବା ବେଳେ ବମ୍ବେ ହାଇକୋର୍ଟ ଏପରି ଟିପ୍ପଣୀ ରଖିଛନ୍ତି । ଏଥିସହ ଏହି ମାମଲାରେ ପୋକ୍ସୋ ଆକ୍ଟରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଭାରତୀୟ ଦଣ୍ଡ ସିଂହିତା ଧାରା ୩୭୭ ଅନୁଯାୟୀ ଏହା ଅପରାଧ ନୁହେଁ ବୋଲି କୋର୍ଟ ରାୟ ଶୁଣାଣି କରି କହିଛନ୍ତି । ଜାମିନ ପାଇଥିବା ବ୍ୟକ୍ତି ଜଣଙ୍କ ଜଣେ ନାବାଳକର ଓଠରେ ଚୁମ୍ବନ ଦେବା ସହ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ଅଭିଯୋଗ ହୋଇଥିଲା ।

ନାବାଳକଙ୍କ ବାପାଙ୍କ ଅଭିଯୋଗ ମୁତାବକ ଦିନେ ତାଙ୍କ ଆଲମାରୀରୁ ଟଙ୍କା ଚୋରି ହେବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅ ଅନଲାଇନ ଗେମ୍ ଓଲା ପାର୍ଟି ଖେଳିବା ପାଇଁ ଏହି ଟଙ୍କା ନେଉଛି । ଘର ପାଖରେ ଥିବା ଏକ ଦୋକାନକୁ ଯାଇ ପୁଅ ଏଥି ନିମନ୍ତେ ରିଚାର୍ଜ କରୁଥିଲେ । ତେବେ ପୁଅ ଦୋକାନକୁ ରିଚାର୍ଜ କରିବାକୁ ଯାଇଥିବା ବେଳେ ସେ ପିଛା କରିଥିଲେ । ହେଲେ ଦୋକାନୀ ଜଣଙ୍କ ତାଙ୍କ ପୁଅର ଓଠକୁ ଚୁମ୍ବନ ଦେବା ସହିତ ସମ୍ବେଦନଶୀଳ ଅଙ୍ଗରେ ସ୍ପର୍ଶ କରୁଥିଲେ ବୋଲି ଦେଖିଥିଲେ ।

ଏହାପରେ ସେ ଅଭିଯୋଗ କରିଥିଲେ । ପରେ ପୋଲିସ ସଂପୃକ୍ତ ଦୋକାନୀଙ୍କୁ ପୋକ୍ସ ଆକ୍ଟରେ ଗିରଫ କରିଥିଲେ । ସଂପୃକ୍ତ ଅଭିଯୁକ୍ତଙ୍କ ଉପରେ ଧାରା ୩୭୭, ୩୮୪ ଏବଂ ୪୨୦ ଅଧୀନରେ ମାମଲା ଦାୟର ହୋଇଥିଲା । ଏହାପରେ ପାଖାପାଖି ବର୍ଷେ ଯାଏ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଥିଲା । ପରେ ଅଭିଯୁକ୍ତ ଜଣଙ୍କ ଜାମିନ୍ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପୂର୍ବରୁ ମଧ୍ୟ ଏହିଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଚାରପତି ଜଷ୍ଟିସ୍ ଗନେଡିୱାଲା । କହିଥିଲେ, ଯଦି ଅଭିଯୁକ୍ତ ଏବଂ ପୀଡିତଙ୍କ ମଧ୍ୟରେ ସିଧାସଳଖ ଶାରିରୀକ ସମ୍ପର୍କ ନାହିଁ କିମ୍ବା ସ୍କିନ ଟୁ ସ୍କିନ ଟଚ୍ ହୋଇନାହିଁ ତେବେ ପକସୋ ଧାରା ୭ ଅନୁଯାୟୀ ଏହାକୁ ଯୌନ ଉତ୍ପୀଡନ ବୋଲି କୁହାଯାଇପାରିବ ନାହିଁ । ସେତେବେଳେ ବମ୍ବେ ହାଇକୋର୍ଟଙ୍କ ଏଭଳି ଟିପ୍ପଣୀକୁ ଦେଶବ୍ୟାପୀ ବିରୋଧ କରାଯାଇଥିଲା ।