ମହଙ୍ଗା ପଡିଲା ନ୍ୟାୟପାଳିକାକୁ ନେଇ ବିବାଦୀୟ ମନ୍ତବ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଆଇନ ମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ

449

କନକ ବ୍ୟୁରୋ : ନ୍ୟାୟପାଳିିକାକୁ ନେଇ ବିବାଦୀୟ ମନ୍ତବ୍ୟ, ବିଚାରପତି ନିଯୁକ୍ତି ନେଇ ଥିବା କଲେଜିୟମ ବ୍ୟବସ୍ଥାକୁ ସମଲୋଚନା କରିବା ମହଙ୍ଗା ପଡିଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ତାଙ୍କ ପଦବିରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ସଂସଦୀୟ ବ୍ୟାପର ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲଙ୍କୁ ଆଇନ ବିଭାଗର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଚ୍ଛା ଅନୁସାରେ ମନ୍ତ୍ରୀମଣ୍ଡଳରେ ଏଭଳି ପରିବର୍ତନ କରାଯାଇଛି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ହାଇ ପ୍ରୋଫାଇଲ ମନ୍ତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ କିରଣ ରିଜିଜୁ । କିନ୍ତୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଇନ ବିଭାଗରୁ ହଟାଇ ଆର୍ଥ ସାଇନ୍ସ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି ।

କାହିଁକି ବିବାଦୀୟ ହୋଇଥିଲେ କିରଣ ରିଜିଜୁ ?
କଲେଜିୟମ୍ ବ୍ୟବସ୍ଥାକୁ କରିଥିଲେ ସମାଲୋଚନା
ବିଚାରପତି ନିଯୁକ୍ତି ବ୍ୟବସ୍ଥା ଉପରେ ଉଠାଇଥିଲେ ପ୍ରଶ୍ନ
ବ୍ୟବସ୍ଥାରେ ସ୍ୱଚ୍ଛତା ନଥିବା କଥା କହିଥିଲେ
ବିଚାରପତି ନିଯୁକ୍ତ ପାଇଁ ସମ୍ବିଧାନ ସରକାରଙ୍କୁ କ୍ଷମତା ଦେଇଥିଲା
ତେବେ ୧୯୯୩ ମସିହା ପରେ ଏଥିରେ ପରିବର୍ତନ କରାଯାଇଥିଲା
ଗଣତାନ୍ତ୍ରିକ ବ୍ୟବସ୍ଥାରେ କଲେଜିୟମ୍ ଚାଲୁନାହିଁ ବୋଲି କହିଥିଲେ
ବିିଚାରପତି ନିଯୁକ୍ତିରେ ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ପ୍ରସଙ୍ଗ ଉଠାଇଥିଲେ
କଲେଜିୟମ୍ ସିଷ୍ଟମକୁ ‘ଏଲିୟନ’ ସହ କରିଥିଲେ ତୁଳନା

ଅରୁଣାଚଂଳ ପ୍ରଦେଶର ପଶ୍ଚିମ ଲୋକସଭା ସାଂସଦ ଥିଲେ କିରଣ ରିଜିଜୁ । ତାଙ୍କ ସ୍ଥାନରେ ୨୦୦୯ରୁ ରାଜସ୍ଥାନ ବିକାନେରରୁ ସାଂସଦ ଥିବା ଅର୍ଜୁନ ରାମ ମେଘାୱାଲଙ୍କୁ ଆଇନମନ୍ତ୍ରୀ ନିଯୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ କିଛି ମାସ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାର ଅଛି । ସେହି ଦୃଷ୍ଟିରୁ ଆଇନ ମନ୍ତ୍ରଣାଳୟ ଭଳି ଗରୁତ୍ୱପୂର୍ଣ୍ଣ ଦାୟିତ୍ୱ ରାଜସ୍ଥାନ ସାଂସଦଙ୍କୁ ଦିଆଯାଇଥିବା କୁହାଯାଉଛି । ସେପଟେ କିପରି ଲୋକ ସୁବିଧାରେ ନ୍ୟାୟ ପାଇପାରିବେ ତାହା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ନୂଆ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ।

ଆଇନ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲେ ମଧ୍ୟ ଦଳ ପ୍ରତି ନିଜର ଆନୁଗତ୍ୟ ଦେଖାଇଛନ୍ତି କିରଣ ରିଜିଜୁ । ଟୁଇଟ କରି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ସହ ସୁପ୍ରିମକୋର୍ଟର ବିଚାରପତି ଏବଂ ଅଫିସରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରିଜିଜୁ ।