ଉଦଘାଟନ ବେଳେ ତୁ ତୁ ମେଁ ମେଁ: ନବୀନଙ୍କ ଫଟୋ ନରହିବାକୁ ନେଇ ବିବାଦ, ବିଜେଡି-ବିଜେପି ନେତା ମୁହାଁମୁହିଁ

426

କନକ ବ୍ୟୁରୋ: ରେଳ ପ୍ରକଳ୍ପ ଉଦଘାଟନ ସମୟରେ ବିଜେଡି-ବିଜେପି ନେତାଙ୍କ କଳି ପଦାରେ ପଡିଛି । ସଭା ଅଧାରୁ ଉଠି ଆସିଛନ୍ତି ମନ୍ତ୍ରୀ ଓ ସାଂସଦ । ଅନୁଗୁଳ ସୁକିନ୍ଦା ରେଳ ଲାଇନର ଶୁଭ ଉଦଘାଟନ କାର୍ଯ୍ୟକ୍ରମ କାମାକ୍ଷାନଗରରେ ହୋଇଥିଲା । ରେଳ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଆଉ ସଭାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ସାଂସଦ ମହେଶ ସାହୁ, ପୂର୍ବତନ ସାଂସଦ ରୁଦ୍ରପାଣି ଯୋଗଦେଇଥିଲେ । କିନ୍ତୁ ସଭାରେ କେବଳ ମନ୍ତ୍ରୀ ଓ ସାସଂଦଙ୍କୁ ନିଜର ବକ୍ତବ୍ୟ ରଖିବାର ସୁଯୋଗ ମିଳିଥିଲା । ଅନ୍ୟଙ୍କୁ କହିବାକୁ ସୁଯୋଗ ଦିଆଯାଇଥିଲା । ଆଉ ଏହାକୁ ନେଇ ବିବାଦ ଦେଖାଦେଇଛି । ସଭାର ଶେଷ ପର୍ଯ୍ୟାୟରେ କେବଳ ପୂର୍ବତନ ସାଂସଦ ରୁଦ୍ର ପାଣି ନିଜ ଆଡୁ ବକ୍ତବ୍ୟ ରଖିଥିଲେ । ଏହି ସମୟରେ ମନ୍ତ୍ରୀ ଓ ସାଂସଦ ମଂଚରୁ ଓହ୍ଲାଇ ଚାଲିଯାଇଥିଲେ । ସାସଂଦ ମହେଶ ସାହୁ କହିଛନ୍ତି, ରେଳ ବିଭାଗ ଜାଣିଥିବ କାହିଁକ କହିବାକୁ ସୁଯୋଗ ଦିଆଗଲା ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । କିନ୍ତୁ କାର୍ଯ୍ୟକ୍ରମରେ ମୋଦିଙ୍କ ସହ ନବୀନଙ୍କ ଫଟୋ ନ ଲାଗିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ସାଂସଦ ମହେଶ ସାହୁ କହିଛନ୍ତି, ରାଜ୍ୟ ସରକାର ସବୁ ସହଯୋଗ କଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଲା ନାହିଁ । ସେପଟେ ରୁଦ୍ର ନାରାୟଣ ପାଣି କହିଛନ୍ତି, ବିଜେଡି କେବଳ ରାଜନୀତି କରୁଛି । ଏକ ସରକାରୀ କାର୍ଯ୍ୟକ୍ରମରେ ଦୁଇ ଦଳ ନେତାଙ୍କ ତୁତୁ ମେଁମେଁକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।