ବ୍ରହ୍ମଗିରିରୁ ଆସିଲା ବିକଳ ଚିତ୍ର: ପାଣିଘେରରେ ପୂରା ଗାଁ, ବେକେ ପାଣିରେ ଟ୍ୟୁବରେ ବୁହାହୋଇ ଶ୍ମଶାନକୁ ଗଲା ଶବ । ପ୍ରଶାସନର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ?

464

କନକ ବ୍ୟୁରୋ: ପ୍ରବଳ ବର୍ଷାର୍ରେ ଜଳମଗ୍ନ ହେଲା ଗାଁ । ଟ୍ୟୁବରେ ବାନ୍ଧି ଶବକୁ ଶ୍ମଶାନକୁ ନେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଲକର ଘଟକୁଡି ପଂଚାୟତ ଗୌଡରଣାପଡା ଗାଁରେ । ଦୀର୍ଘ ୬ ଧିନଧରି ଲଗାଣ ବର୍ଷା ଯୋଗୁଁ ଏହି ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି । ଏପରିକି ଘର, ରାସ୍ତାଘାଟ ପୂରା ଜଳାଶୟ ପାଲଟିଛି କହିଲେ ଅତ୍ୟୁକ୍ତି ହେବନି ।

ତେବେ ଏହାରି ମଧ୍ୟରେ ପାଣି ଘେରରେ ରହୁଥିବା ଲୋକଙ୍କ ମଧ୍ୟରୁ ଗତକାଲି ଗାଁର ସ୍ୱର୍ଗତ ଉଦୟନାଥ ଭୋଇଙ୍କ ପତ୍ନୀ କୁନି ଭୋଇଙ୍କ ଦେହାନ୍ତ ହୋଇଥିଲା । ହେଲେ ଶବ ସତ୍କାର ପାଇଁ ପାଣିର ପ୍ରଳୟ ପାଟିରୁ ଶବକୁ କେମିତି ଆଣିବେ ସେନେଇ ନାନାପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । କାରଣ ଘରେ ପାଣି, ଦାଣ୍ଡରେ ପାଣି ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ଶେଷରେ ଶବକୁ ଏକ ଟ୍ୟୁବ୍ ଜରିଆରେ ବେକେପାଣିରେ ଶ୍ମଶାସନକୁ ବୁହାଇ ଆଣିଲେ ପରିବାର ଲୋକଙ୍କ ସହ ଗାଁ ଲୋକେ ।

ଏଭଳି ଦୃଶ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ବର୍ଷା ପାଣି ନିଷ୍କାସନ ପାଇଁ ବାଟ ନଥିବାରୁ ସମଗ୍ର ଗାଁ ପାଣି ଘେରରେ ରହିଛି । ଦୀର୍ଘ ସପ୍ତାହେ ବିତିଯାଇଥିଲେ ବି ବର୍ଷା ଛାଡ଼ିଛି ହେଲେ ଏମାନଙ୍କୁ ଦୁର୍ଦ୍ଦଶା ଅଧିକ ବଢ଼ିଥିବା ଦେଖିବାକୁ ମିଳିଛି । ଆଉ ଆଜି ଘଟିଥିବା ଅଭାବନୀୟ ଘଟଣା ପ୍ରଶାସନର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରୁଥିବା କହିଛନ୍ତି ଗାଁ ଲୋକେ ।