ହିନ୍ଦୁଶୂନ୍ୟ ହୋଇଯିବ କାଶ୍ମୀର : ଟାର୍ଗେଟ କିଲିଂକୁ ନେଇ ଏଭଳି ବୟାନ ଦେଇଛନ୍ତି ଫାରୁକ ଅବଦୁଲ୍ଲା

100

କନକ ବ୍ୟୁରୋ : ହିନ୍ଦୁଶୂନ୍ୟ ହୋଇଯିବ କାଶ୍ମୀର । ଯଦି କାଶ୍ମୀରରେ ଟାର୍ଗେଟ କିଲିଂକୁ ରୋକାନଯାଏ ତେବେ କାଶ୍ମୀର ହିନ୍ଦୁଶୂନ୍ୟ ହୋଇଯିବ ବୋଲି କହିଛନ୍ତି ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା । କିଛି ମାସ ହେବ କାଶ୍ମୀର ପଣ୍ଡିତମାନଙ୍କୁ ବାଛି ବାଛି ହତ୍ୟା କରାଯାଉଛି ତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଫାରୁକ । ଏନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାରୁକ କହିଛନ୍ତି, କାଶ୍ମୀର ପଣ୍ଡିତଙ୍କ ପାଇଁ ଏବେ ୧୯୯୦ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଯଦି ସରକାର ଏବେଠୁ ଟାର୍ଗେଟ କିଲିଂକୁ ନରୋକନ୍ତି ତେବେ ହିନ୍ଦୁଶୂନୃ ହୋଇଯିବ କାଶ୍ମୀର । ଏସମ୍ପକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଫାରୁକ । କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ ଏବଂ ସେମାନଙ୍କ ପଳାୟନକୁ ନେଇ ସର୍ବଦଳୀୟ ବୈଠକ ଡକାଯିବା ଉଚିତ ବୋଲି କହିଛନ୍ତି ଫାରୁକ । ନିକଟରେ କାଶ୍ମୀରର ଚୌଧୁରୀଗୁଣ୍ଡ ଅଂଚଳରେ ପଣ୍ଡିତ କ୍ରିଷ୍ଣା ଭଟଙ୍କ ହତ୍ୟା ପରେ ଦକ୍ଷୀଣ କାଶ୍ମୀର ସୋପିଆନ ଅଂଚଳରୁ ୧୦ଟି ପଣ୍ଡିତ ପରିବାର ପଳାୟନ କରିଛନ୍ତିି । ଗତବର୍ଷ ଅକ୍ଟୋବର ମାସରୁ କାଶ୍ମୀର ପଣ୍ଡିତ ଏବଂ ଅଣକାଶ୍ମୀରମାନଙ୍କୁ ଟାର୍ଗେଟ କିଲିଂ କରାଯାଉଛି ।