୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ : ଆତଙ୍କବାଦୀ ମୁକାବିଲାରେ ଏହା ଜରୁରୀ କହିଲେ ଗୃହମନ୍ତ୍ରୀ

75

କନକ ବ୍ୟୁରୋ : ୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଆତଙ୍କବାଦୀ ମୁକାବିଲା ପାଇଁ ଏଭଳି ସବୁ ରାଜ୍ୟରେ ଏନଆଇଏ ଶାଖା ଖୋଲିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ହରିଆଣାର ସୁଜରକୁଣ୍ଡରେ ସବୁ ରାଜ୍ୟର ଗୃହମନ୍ତ୍ରୀଙ୍କୁ ନେଇ ଆୟୋଜିତ ଚିନ୍ତନ ଶିବିରରେ ଏଭଳି ବୟାନ ଦେଇଛନ୍ତି ଅମିତ ଶାହା । ରାଜ୍ୟଗୁଡିକ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମୁକାବିଲା କରୁଥିବା ବେଳେ ସୀମାରହିତ ଅପରାଧଗୁଡିକର ମୁକାବିଲା ପାଇଁ ଆମକୁ ଚିନ୍ତା କରିବାକୁ ପଡିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଆତଙ୍କବାଦୀ, ନିଶା କାରବାର, ଦେଶଦ୍ରୋହ ଭଳି ଅପରାଧର ମୁକାବିଲା ପାଇଁ ଏକ ସଂଯୁକ୍ତ ଯୋଜନା ବନାଇବାକୁ ପଡିବ ବୋଲି ସେ କହିଛନ୍ତି । ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟିବା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ୩୪ ପ୍ରତିଶତ କିମିଛି, ସେହିପରି ସୁରକ୍ଷାବାହୀନୀଙ୍କ ମୃତ୍ୟୁ ୬୪ ପ୍ରତିଶତ ହ୍ରାସ ପାଇଥିବା ବେଳେ ନାଗରିକଙ୍କ ମୃତ୍ୟୁ ୯୦ ପ୍ରତିଶତ କମିଥିବା କହିଛନ୍ତି ଅମିତ ଶାହା । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିନ୍ତନ ଶିବିରରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶିବିରରେ ରାଜ୍ୟଗୁଡିକର ଗୃହ ସଚିବ, ଡିଜିପିଙ୍କ ସହ ସିଏପିଏଫ୍ ମୁଖ୍ୟ ପ୍ରମୁଖ ସାମିଲ ହୋଇଛନ୍ତି ।