ବିଦେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ୨୫ ସମ୍ପତ୍ତିର ମାଲିକ: ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସିବିଆଇ ରିପୋର୍ଟ

42

କନକ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ ବିଦେଶରେ ୨୫ ସମ୍ପତ୍ତିର ମାଲିକ ଅଟନ୍ତି ବୋଲି ଗତକାଲି ସିବିଆଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛନ୍ତି । ଏକ ବନ୍ଦ ଲଫାପାରେ ତଦନ୍ତ ପ୍ରକ୍ରିୟାର ସମସ୍ତ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରି ସିବିଆଇ କାର୍ତ୍ତି ବିଦେଶରେ ୨୫ ସମ୍ପତ୍ତିର ମାଲିକ ଥିବା କହିଛନ୍ତି । ତେବେ ଏହା ବିରୋଧରେ କାର୍ତ୍ତିଙ୍କ ବରିଷ୍ଠ ଓକିଲ କପିଲ ଶିବଲ କହିଛନ୍ତି ଯେ, କାର୍ତ୍ତିଙ୍କ ବିରୋଧରେ ସିବିଆଇର ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା କାର୍ତ୍ତିଙ୍କ ବାପା ମା’ ଏବଂ ପତ୍ନୀଙ୍କୁ ବଦନାମ କରିବାର ଲକ୍ଷ୍ୟ ରଖିଛି ।

ଅନ୍ୟ ପକ୍ଷରେ ସିବିଆଇ ପାଇଁ ଆଡିସନାଲ ସଲିସିଟର ଜେନେରାଲ ତୁଶାର ମେହଟା କହିଛନ୍ତି ଯେ, କାର୍ତ୍ତି ଏହି ସମ୍ପତ୍ତି ଗୁଡ଼ିକୁ ସେଲ୍ କମ୍ପାନୀ ନାମରେ ହିଁ ଅକ୍ତିଆର କରିଛନ୍ତି । ସେ କହିଛନ୍ତି ତଦନ୍ତ କାର୍ଯ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି ଏବଂ କୋର୍ଟକୁ ତଦନ୍ତ ପ୍ରକ୍ରିୟାର ସମ୍ପୂର୍ଣ୍ଣ ରିପୋର୍ଟ ସେମାନେ ଏକ ବନ୍ଦ ଲଫାପାରେ ଦେଇଛନ୍ତି ଏବଂ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୮ ତାରିଖରେ ହେବ ବୋଲି ମେହଟା କହିଛନ୍ତି ।

୨୦୦୭ ମସିହାରେ ଆଇଏନଏକ୍ସ ମିଡ଼ିଆକୁ ବେଆଇନ ଭାବେ ଫରେନ ଇନଭେଷ୍ଟମେଣ୍ଟ୍ ପ୍ରମୋସନ ବୋର୍ଡ (ଏଫଆଇପିବି) କ୍ଲିଅରାନ୍ସ ଦେଇ କାର୍ତ୍ତି ଲାଞ୍ଚ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ସିବିଆଇ ମେ’ ୧୫ ତାରିଖରେ ଏଫଆଇଆର ଦାଏର କରିଥିଲା ଏବଂ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି ହୋଇଥିଲା । ପୂର୍ବରୁ କାର୍ତ୍ତିଙ୍କ ଲୁକ୍ ଆଉଟ୍ ନୋଟିସକୁ ମାଡ୍ରାସ ହାଇକୋର୍ଟ ଉଠାଇଦେଇଥିଲେ ବି ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ରହିତାଦେଶ ଜାରି କରିଥିଲେ ।

ସେପ୍ଟେମ୍ବର ୨ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ କାର୍ତ୍ତି ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଦେଶ ଛଡ଼ି ବାହାରକୁ ଯାଇ ପାରିବେନି ବୋଲି ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି ସମୟରେ ସିବିଆଇକୁ ମାମଲାର ତଦନ୍ତ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ କହିଥିଲେ । ତେବେ ସିବିଆଇର ଏହି ନୂଆ ରିପୋର୍ଟ କାର୍ତ୍ତିଙ୍କ ପାଇଁ ଅଧିକ ଜଟିଳ ପରିସ୍ଥିତି ଆଣିଦେଇଛି ଏବଂ ବର୍ତ୍ତମାନ ସ୍ଥିତିରେ କାର୍ତ୍ତିଙ୍କ ଉପରୁ ଲୁକ୍ ଆଉଟ୍ ନୋଟିସ ଉଠିପାରିବନି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି ।