ଉତ୍ତର ପ୍ରଦେଶ ବ୍ୟବସାୟୀଙ୍କୁ ନେଇ ଆମେରିକାରେ ଚର୍ଚ୍ଚା, ୫୦ ହଜାର ଚାକିରି ଦେବାକୁ ଘୋଷଣା

119

କନକ ବ୍ୟୁରୋ : ଦିନକୁ ଦିନ ଭାରତୀୟମାନେ ବିଦେଶରେ ବଡ ବଡ ପଦରେ ଅବସ୍ଥାପିତ ହେଉଛନ୍ତି । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ତ ବ୍ରିଟେନର ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଧାନମନ୍ତ୍ରୀ । ଏସବୁ ଭିତରେ ପୁଣି ଜଣେ ଭାରତୀୟ ବ୍ୟବସାୟୀ ଆମେରିକାରେ ଚର୍ଚ୍ଚା ସାଉଣ୍ଟୁଛନ୍ତି ।

ମାଇକ୍ରୋନ ଟେକ୍ନୋଲୋଜୀର ଭାରତୀୟ- ଆମେରିକୀୟ ସିଇଓ ସଂଜୟ ମହରେତ୍ରା ଆଗାମୀ ୨୦ ବର୍ଷ ମଧ୍ୟରେ ୧୦୦ ଆରବ ଡଲାର ନିବେଶ କରିବା ସହ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନ୍ ରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ସାକ୍ଷାତରେ ମାଇକ୍ରନର ଭବିଷ୍ୟତ ନେଇ ଆଲୋଚନା ହୋଇଛି । ଏଥିରେ ଆଗାମୀ ୨୦ ବର୍ଷ ମଧ୍ୟରେ ୧୦୦ ଆରବ ଡଲାର ନିବେଶ ସହ ଆମେରିକା ଇତିହାସରେ ସବୁଠାରୁ ବଡ ସେମିକଣ୍ଡକ୍ଟର ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଥିବା କଥା ସେ କହିଛନ୍ତି ।

ସେପଟେ ଯଦି ଆମେ ମହରେତ୍ରଙ୍କ କଥା କହିବା ତେବେ ସେ ଉତ୍ତର ପ୍ରଦେଶର କାନପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀର ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟରେ ନିଜର ଶିକ୍ଷା ସମାପ୍ତ କରି ୧୮ ବର୍ଷ ବୟସରେ ଆମେରିକା ଚାଲିଯାଇଥିଲେ । ସେଠାରେ ସେ ଟେକ୍ନୋଲୋଜୀ ଇଂଜିନିୟରିଂରେ ସ୍ନାତକ ଓ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସେ ବୋଇସ ଷ୍ଟେଟ୍ ୟୁନିଭରସିଟିରୁ ଡକ୍ଟରେଟ ମଧ୍ୟ ପାଇଛନ୍ତି ।

ସେ ସାନଡିକ୍ସ କର୍ପୋରେସନରେ ଦୀର୍ଘବର୍ଷ ଧରି କାମ କରିବା ପରେ ୨୦୧୭ ମସିହାରେ ମାଇକ୍ରୋନରେ ସାମିଲ ହୋଇଥିଲେ । ସାନଡିକ୍ସ ପୂର୍ବରୁ ସେ ଇଣ୍ଟିଗ୍ରେଟେଡ ଡିଭାଇସ ଟେକ୍ନୋଲୋଜୀ, ଇଙ୍କ୍, ଭଳି କମ୍ପାନୀରେ ଇଂଜିନିୟର ଭାବେ କାର୍ଯ୍ୟ କରିଛନ୍ତି ।