ସ୍କୁଲ କ୍ୟାମ୍ପସ କ୍ୟାମେରା ମନା ସମ୍ପର୍କିତ ବିଇଓଙ୍କ ଚିଠିରେ ବ୍ୟାପକ ଭୁଲ : ଚାରିଆଡ଼ୁ ସମାଲୋଚନା ପରେ ବିଇଓ ହରିହର ଦେହୁରୀ କହିଲେ ଭୁଲ ଧରିଲେ ହେବନି

921

କନକ ବ୍ୟୁରୋ : ସ୍କୁଲ କ୍ୟାମ୍ପସକୁ କ୍ୟାମେରା ମନା ସମ୍ପର୍କିତ ବିଇଓଙ୍କ ଚିଠିରେ ରହିଛି ବ୍ୟାପକ ଭୁଲ । ଢ଼େଙ୍କାନାଳ କଙ୍କଡ଼ାହାଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ଇଂରାଜୀରେ ହୋଇଥିବା ଏହି ଚିଠିରେ ଅନେକ ବ୍ୟାକରଣ ଅଶୁଦ୍ଧି ଓ ବନାନ ଭୁଲ ରହିଛି । ଏଭଳି ଭୁଲକୁ ନେଇ ଚାରିଆଡ଼ୁ ସମାଲୋଚନା କରାଯାଇଛି । ଖୋଦ୍ ବ୍ଲକ ଶିକ୍ଷାଧିକାରୀଙ୍କ ଚିଠିରେ ଯଦି ଏଭଳି ତ୍ରୁଟି ରହିବ ତେବେ ଶିକ୍ଷାଦାନର ସ୍ତର କେଉଁଭରି ହୋଇଥିବା ବୋଲି ଅଭିଭାବକମାନଙ୍କ ମହଲରେ ଚର୍ଚ୍ଚା ହେଉଛି ।

ଘଟଣା ନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ କହିଛନ୍ତି ଚିଠିକୁ କୌଣସି ଅଧିକାରୀ ଲେଖନ୍ତି ନାହିଁ । ତାହାକୁ କିରାଣି କିମ୍ବା ଟାଇପିଷ୍ଟ ଟାଇପ କରିଥାନ୍ତି । ସେଥିରେ ଯଦି କୌଣସି ଭୁଲ ରହିଛି ସେଇଟାକୁ ଧରିଲେ ହେବନି । ସୂଚନା ଅନୁସାରେ ସରକାରୀ ସ୍କୁଲରେ ଠିକ ଭାବେ ପାଠପଢ଼ା ହେଉନଥିବା ବାରମ୍ବାର ଅଭିଯୋଗ ହେଉଛି । ଅବ୍ୟବସ୍ଥା ନେଇ ଗଣମାଧ୍ୟମ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକଙ୍କ ବିଦ୍ୟାଳୟ ପ୍ରବେଶ ଉପରେ ରୋକ ଲଗାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଏ ସଂକ୍ରାନ୍ତୀୟ ଚିଠି ପାଇବା ପରେ କଙ୍କଡ଼ାହାଡ଼ ବିଇଓ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି କରିଥିଲେ । ଯେଉଁଥିରେ ଅନେକ ଭୁଲ ଥିବା ଦେଖିବାକୁ ମିଳିଥିଲା ।