ନବ ଦାସ ହତ୍ୟାକାଣ୍ଡର ତଦନ୍ତ ପ୍ରସଙ୍ଗ : ଆଜି ଘଟଣାସ୍ଥଳକୁ ଯିବେ ଜଷ୍ଟିସ ଜେ.ପି ଦାସ; କ୍ରାଇମବ୍ରାଞ୍ଚ କେମିତି କରୁଛି ତଦନ୍ତ, ତାର କରିବେ ତଦାରଖ

80

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଥିବା ବେଳେ ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବା ପରେ ନବଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଆଜି ସେ ଘଟଣାସ୍ଥଳକୁ ଯିବେ । କ୍ରାଇମବ୍ରାଞ୍ଚ କିପରି ତଦନ୍ତ କରୁଛି, ତାର ସେ ତଦାରଖ କରିବେ । ଝାରୁସୁଗୁଡାରେ ପହଞ୍ଚିବା ପରେ ଜଷ୍ଟିସ ଜେ.ପି ଦାସ କହିଛନ୍ତି , କ୍ରାଇମ ରିକ୍ରିଏସନ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବ । ତଦନ୍ତ ସମୟରେ ବିଭିନ୍ନ ଦିଗକୁ ବିଚାରକୁ ନିଆଯିବ ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ନିକଟରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। କଟକସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ଏକ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଥିଲେ ।

ତେବେ ଗଣମାଧ୍ୟମକୁ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନଥିଲେ ଅରୁଣ ବୋଥ୍ରା। ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ମନିଟରିଂ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଜଷ୍ଟିସ ଜେପି ଦାସ । ସେ କହିଥିଲେ, ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ଅବଗତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରାଯାଇଛି । କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନେଇ କିଛି ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି ।

ସେପଟେ ଗୋପାଳଙ୍କ ଗାଁ ଜଳେଶ୍ୱରଖଣ୍ଡିରେ ପୁଣି ଥରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଏକ ୩ ଜଣିଆ ଟିମ୍ ଗୋପାଳଙ୍କ ଘରେ ପହଞ୍ଚି ଥିଲା । ତଦନ୍ତକାରୀ ଅଧିକାରୀମାନେ ସେଠାରେ ପ୍ରାୟ ଅଢ଼େଇ ଘଣ୍ଟା ରହିଥିଲେ । ଏହି ସମୟରେ ୩ ଜଣିଆ ଟିମ୍ ଗୋପାଳଙ୍କ ଝିଅଙ୍କୁ କିଛି ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି ।