ଛାତିରେ ପଥର ରଖି, ବାପା ଦାନ କଲେ ପୁଅର ଆଖି: ୧୩ ବର୍ଷର ପୁଅ ସାଇ ଶ୍ରୀତମଙ୍କ ମୃତ୍ୟୁ ପରେ ବାପା ଅଖିଳ ଦାଶ ଦେଖାଇଲେ ମହାନତା

1,969

କନକ ବ୍ୟୁରୋ: ଦୁନିଆକୁ ବୁଝିବା ଆଗରୁ ଚାଲିଗଲା ମାତ୍ର ୧୩ ବର୍ଷର କୁନି ପୁଅ । ପୁଅକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ ବାପା-ମା’ । ହେଲେ ଗୋଟିଏ ଝଟକାରେ ସବୁ ସ୍ୱପ୍ନ ଚୁରମାର ହୋଇଥିଲା । ପୁଅର ମୃତ୍ୟୁ ପରେ ଛାତିକୁ ପଥର କରି ପୁଅର ଆଖି ଦାନ କରିଛନ୍ତି ଜଣେ ବାପା । ଏବେ ପୁଅ ନାହାଁନ୍ତି ସତ, କିନ୍ତୁ ତାଙ୍କ ଆଖିରେ ଦୁନିଆ ଦେଖୁଛନ୍ତି ଆଉ ଜଣେ ।

ବାପା ଏଇଟା ମୋ ଲାଷ୍ଟ ସେଲଫି । ତମ ମୋବାଇଲରେ ହିଁ ଉଠାଇଛି । ଏଇଟା ସାଇତିକି ରଖିବ । ଯେବେ ମୋ କଥା ମନେପଡ଼ିବ, ଏହି ଫଟୋଟି ଦେଖିବ । ମା’ ମନଦୁଃଖ କଲେ ତାଙ୍କୁ ବି ବୁଝେଇ ଦେବ । ମୁଁ ସିନା ଆଉ ଫେରିନିବି, କିନ୍ତୁ ତମ ହୃଦୟରେ ସବୁବେଳେ ରହିିବି ।

ଦୁନିଆରୁ ବିଦାୟ ନେବା ପୂର୍ବରୁ ବୋଧ ଏମିତି କିଛି କଳ୍ପନା କରି ଫଟୋଟି ଉଠାଇଥିଲେ ସାଇ ଶ୍ରୀତମ । ହସ ହସ ଚେହରା, ମିଠା ମିଠା କଥା । ସମସ୍ତଙ୍କୁ ନିଜର କରିଦେଉଥିବା ଏହି କୁନି ପିଲାଟି ମାତ୍ର ୧୩ ବର୍ଷ ବୟସରେ ସଭିଙ୍କୁ ଛାଡି ଚାଲିଯିବ, ଏକଥା କିଏ ଜାଣିଥିଲା । ଏଇ ଗତବର୍ଷର କଥା । ମନ ଭରି ହୋଲି ଖେଳିଥିଲା ଶ୍ରୀତମ । ଦେହ ସାରା ଖାଲି ରଙ୍ଗ ହିଁ ରଙ୍ଗ । ବୋଧ ହୁଏ ସେ ଜାଣିସାରିଥିଲା ଆଉ ଏମିତି ହୋଲି ଖେଳିବାକୁ ସୁଯୋଗ ମିଳିବନି । ଏବେ ପୁଅ ପାଖରେ ନାହିଁ , କିନ୍ତୁ ପୁଅ ସହିତ ବିତାଇଥିବା ସବୁ ମୁହୁର୍ତ ଏବେ ଯେମିତି ଆଖି ସାମ୍ନାକୁ ଚାଲିଆସୁଛି ।
ସାଇ ଶ୍ରୀତମ ସବୁଦିନ ପାଇଁ ଆଖି ବୁଜିଦେଇଛି ସତ କିନ୍ତୁ ତା’ ଆଖିରେ ଆଉ କିଏ ଦୁନିଆ ଦେଖିବ । ମୃତ୍ୟୁ ପରେ ପୁଅର ଆଖିକୁ ଦାନ କରିବା ପାଇଁ ନିଷ୍ପତି ନେଇଥିଲେ ବାପା । ଏତେ ସହଜ ନଥିଲା ନିଷ୍ପତି । କିନ୍ତୁ ଅନ୍ୟ କାହା ଆଖିରେ ପୁଅ ଜୀବନ୍ତ ରହିପାରିବା ଆଶା ନେଇ ପୁଅର ଚକ୍ଷୁ ଦାନ କରିଛନ୍ତି ଶ୍ରୀତମଙ୍କ ବାପା ।

କିଛି ବର୍ଷ ତଳେ ମାଂଶପେଶୀ ରୋଗରେ ପୀଡିତ ହୋଇଥିଲେ ସାଇ ଶ୍ରୀତମ । ସେହି ଦିନଠାରୁ ସ୍କୁଲ ଯିବା ବନ୍ଦ ହୋଇଗଲା । ଘରେ ରହି ପାଠ ପଢୁଥିଲେ । କିନ୍ତୁ ଗତ ୨୯ ତାରିଖରେ ଫିଜିଓଥେରାପି ଚାଲିଥିବା ବେଳେ ହଠାତ୍ ଅଚେତ ହୋଇପଡିଲେ । ସଙ୍ଗେ ସଙ୍ଗେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିଆଗଲା କିନ୍ତୁ ସେତେବେଳକୁ ସବୁକିଛି ସରିଯାଇଥିଲା । ହୃଦଘାତରେ ସାଇ ଶ୍ରୀତମଙ୍କର ମୃତ୍ୟୁ ହୋଇଥିବା କହିଲେ ଡାକ୍ତର । ପୁଅର ଚାଲିଯିବାକୁ ଏବେବି ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ ।