ଓଡ଼ିଶାର ଗୌରବ ବଢାଇଲେ ଜଷ୍ଟିସ ଦୀପକ ମିଶ୍ର ! ସୁପ୍ରିମକୋର୍ଟର ୪୫ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ

66

କନକ ବ୍ୟୁରୋ : ଓଡିଶା ପାଇଁ ଗୌରବର ଦିନ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀପକ ମିଶ୍ର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ମିଶ୍ରଙ୍କୁ ଶପଥ ପାଠ କରାଇଛନ୍ତି । ଦେଶର ୪୫ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ମିଶ୍ର ଅକ୍ଟୋବର ୨, ୨୦୧୮ ଯାଏଁ ଦୀପକ ମିଶ୍ର ଏହି ପଦରେ ରହିବେ । ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାମ କରୁଥିବାବେଳେ ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୧୦, ୨୦୧୧ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପୂର୍ବରୁ ସେ ପାଟନା ଓ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦ୍ୱାୟିତ୍ୱ ତୁଲାଇଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇଥିବା ଜଷ୍ଟିସ ମିଶ୍ରଙ୍କ ଉପରେ ଏବେ ସମସ୍ତଙ୍କର ନଜର ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବା ପରେ ୩ୟ ଓଡ଼ିଆ ଭାବେ ଏହି ସୌଭାଗ୍ୟ ଲାଭ କରିଛନ୍ତି ଜଷ୍ଟିସ ମିଶ୍ର । ଜଷ୍ଟିସ ଦୀପକ ମିଶ୍ର ହେଉଛନ୍ତି ସ୍ୱର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାତି । ଗୋଦାବରୀଶ ମିଶ୍ରଙ୍କ ଅନ୍ୟ ଜଣେ ପୁଅ ଜଷ୍ଟିସ ରଙ୍ଗନାଥ ମିଶ୍ର ଭାରତର ପ୍ରଧାନ ବିଚାରପତି ଭାବେ ଆସନ ଅଳଙ୍କୃତ କରିଥିଲେ । ଏବେ ନାତି ଜଷ୍ଟିସ ଦୀପକ ମିଶ୍ର ଏହି ସମ୍ମାନ ଜନକ ପଦରେ ବସି ଓଡିଶାର ଗୌରବ ବଢାଇଛନ୍ତି । ଜଷ୍ଟିସ ମିଶ୍ର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବା ପରେ ଓଡ଼ିଶାରେ ଖୁସିର ଲହରୀ ଖେଳି ଯାଇଛି ।