ଜିଓ ଗ୍ରାହକଙ୍କୁ ଝଟକା: ମହଙ୍ଗା ହେଲା ଜିଓ ରିଚାର୍ଜ । ଜାଣନ୍ତୁ, ମାସିକ କେଉଁ ପ୍ଲାନ ପାଇଁ କେତେ ଦେବେ ଟଙ୍କା

1,676

କନକ ବ୍ୟୁରୋ: ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖବର । ମହଙ୍ଗା ହେଲା ଜିଓ ରିଚାର୍ଜ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପରେ ଏବେ କଥା ହେବା ପାଇଁ ବି ଦେବାକୁ ପଡ଼ିବ ଅଧିକ ଟଙ୍କା । କାରଣ ଏୟାରଟେଲ ପରେ ରିଲାଏନ୍ସ ଜିଓ ଏହାର ରିଚାର୍ଜ ମୂଲ୍ୟ ମଧ୍ୟ ବୃଦ୍ଧି କରିଛି। ଡିସେମ୍ବର ୧, ୨୦୨୧ରୁ ଜିଓର ନୂତନ ଟାରିଫ ପ୍ଲାନ ସମଗ୍ର ଦେଶରେ ଲାଗୁ ହେବ । ଏଥିରେ ଡାଟା ପ୍ଲାନ୍, ଅସୀମିତ ପ୍ଲାନ ସହ ଜିଓ ଫୋନର ରିଚାର୍ଜ ଯୋଜନା ଅନ୍ତର୍ଭୁକ୍ତ ରହିଛି ।

ସୂଚନା ଥାଉ କି ଯେ ପୂର୍ବରୁ ଏୟାରଟେଲ ଏବଂ ଭି ପ୍ରିପେଡ ପ୍ଲାନ ଦର ବୃଦ୍ଧି କରିଥିଲେ । ଏୟାରଟେଲ ଏବଂ ଭି ଭଳି ରିଲାଏନ୍ସ ଜିଓ ମଧ୍ୟ ଏହାର ପ୍ଲାନ ମୂଲ୍ୟ ପ୍ରାୟ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିଛି । ନଜର ପକାନ୍ତୁ କେଉଁ ପ୍ଲାନ ମୂଲ୍ୟ କେତେ ବଢ଼ିଲା ।

ଜିଓ ଫୋନର ୭୫ ଟଙ୍କା ପ୍ଲାନ ପାଇଁ ଏଣିକି ଗ୍ରାହକଙ୍କୁ ୯୧ ଟଙ୍କା ଦେବାକୁ ପଡିବ । ଏହି ପ୍ଲାନରେ, ୩ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ୍ ଏବଂ ୩୦୦ ଏସଏମଏସ ସୁବିଧା ପ୍ରଦାନ କରାଯାଇଛି । ୧୨୯ ଟଙ୍କାର ଜିଓର ଅସୀମିତ ଯୋଜନା ପାଇଁ ବର୍ତ୍ତମାନ ୧୫୫ ଟଙ୍କା ଦେବାକୁ ପଡିବ । ଜିଓ ଏହାର ବାର୍ଷିକ ରିଚାର୍ଜ ପ୍ଲାନରେ ସର୍ବାଧିକ ୪୮୦ ଟଙ୍କା ବୃଦ୍ଧି କରିଛି ।

ଏଭଳି ପରିସ୍ଥିତିରେ, ଗ୍ରାହକଙ୍କୁ ଜିଓର ପ୍ଲାନ ପାଇଁ ୨୩୯୯ ଟଙ୍କା ବଦଳରେ ୨୮୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ, ଦୈନିକ ୨ ଜିବି ଡାଟା ସହିତ ଅସୀମିତ କଲିଂ ସହିତ ଦୈନିକ ୧୦୦ ଟି ଏସଏମଏସ ସୁବିଧା ମିଳିବ । ରିଲାଏନ୍ସ ଜିଓର ଡାଟା ଆଡ୍-ଅନ୍ ପ୍ଲାନର ମୂଲ୍ୟରେ ମଧ୍ୟ ବୃଦ୍ଧି କରାଯାଇଛି। ଜିଓର ୫୧ ଟଙ୍କା ଡାଟା ଆଡ-ଅନ ଯୋଜନା ୬୧ ଟଙ୍କାରେ ଆସିବ । ଏହି ଯୋଜନାରେ ୬ଜିବି ଡାଟା ପ୍ରଦାନ କରାଯାଇଛି ।