ଆଜିଠାରୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । କୃଷି ଆଇନ ପ୍ରତ୍ୟାହାର ନେଇ ଆସିବ ବିଲ୍

ସେପଟେ ରଣନୀତି ପ୍ରସ୍ତୁତ ପାଇଁ କଂଗ୍ରେସ ଡାକିଲା ବୈଠକ, ସାମିଲ ହେବନି ଟିଏମସି । ବିଜେପି ଉଠାଇବ ମମିତା ହତ୍ୟା ପ୍ରସଙ୍ଗ

118

କନକ ବ୍ୟୁରୋ : ଆଜିଠାରୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ପ୍ରଥମ ଦିନରେ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ ଆଣିବେ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ ଆଗତ କରିପାରନ୍ତି । ଏହା ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିପାରେ । ଅଧିବେଶନ ପୂର୍ବରୁ ଗତକାଲି ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ ଅନେକ ବିରୋଧୀ ଦଳ ଦରବୃଦ୍ଧି, ପେଗାସସ ଗୁପ୍ତଚର ମାମଲା ଓ ବେକାରୀ ସମସ୍ୟା ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବାର ଥିଲେ ବି ସେ ଆସିନଥିଲେ । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ।

ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ସରକାର ସବୁ ବିଷୟରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ ଗୃହ ଚଲାଇବାରେ ସହାୟତା କରନ୍ତୁ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଆଗରୁ ଉପସ୍ଥିତ ରହୁନଥିଲେ । ବୈଠକରେ ନିଜ ଆଡୁ ପ୍ରଧାନମନ୍ତ୍ରୀ ଆସୁଥିଲେ । ଏଥର କିନ୍ତୁ ଆସିପାରିନାହାନ୍ତି । ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ଏନଡିର ବୈଠକ ବସି ବି ରଣନୀତି ପ୍ରସ୍ତତ କରାଯାଇଛି । ତେବେ ରଣନୀତି ପ୍ରସ୍ତୁତ ପାଇଁ କଂଗ୍ରେସ, ବିରୋଧୀ ଦଳଗୁଡିକର ବୈଠକ ଡାକିଛି । ଏଥର କିନ୍ତୁ ତୃଣମୂଳ କଂଗ୍ରେସ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି । ପାର୍ଲାମେଣ୍ଟ ଅଧିବେଶନରେ ବିଜେପି ମମିତା ହତ୍ୟା ପ୍ରସଙ୍ଗ ଉଠାଇବ ବୋଲି କହିସାରିଛି ।

ବୈଠକ ପରେ ଅଧିକାଂଶ ବିରୋଧୀ ଦଳ ନେତା ପେଗାସସ୍‌ ଗୁଇନ୍ଦା ମାମଲା, ଦର ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଆଲୋଚନା ଦାବି କରିଛନ୍ତି। କିଛି ରାଜ୍ୟରେ ବିଏସଫ୍‌ର ସୀମା କ୍ଷେତ୍ର ଅଧିକାର ପରିସର ବୃଦ୍ଧି ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା ଦାବି କରିଛନ୍ତି । ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡେରେକ ଓବ୍ରାଏନ୍‌ ଏମଏସ୍‌ପି ସଂକ୍ରାନ୍ତରେ ଆଇନ ଆଣିବା ପ୍ରସଙ୍ଗ ଉଠାଇଥିଲେ । କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦେଶରେ ଲଗାମଛଡ଼ା ଦରବୃଦ୍ଧି, ତୈଳ ଦର ବୃଦ୍ଧି, କୃଷକ ପ୍ରସଙ୍ଗ ଏବଂ କୋଭିଡ୍‌ ମହାମାରୀ ପରି ବିଷୟ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସରକାର ବିନା ବାଧାରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଆଶା ରଖିଛନ୍ତି ଯେ, ସଂସଦ‌ରେ ଭଲ ଆଲୋଚନା ହେବ। ଆପ୍‌ ନେତା ସଂଜୟ ସିଂହ ବୈଠକ ଅଧାରୁ ଛାଡ଼ି ପଳାଇଥିଲା । ସେ କହିଛନ୍ତି, କୃଷକଙ୍କ ସଂକ୍ରାନ୍ତରେ ଏବଂ ଏମ୍‌ଏସପି ନେଇ ବିଲ୍‌ ଆଣିବା ନେଇ ଆଲୋଚନା ହେବା ସେ ଚାହିଥିଲେ କିନ୍ତୁ ତାଙ୍କୁ କିଛି କହିବାର ସୁ‌ଯୋଗ ମିଳିଲାନି। ଏଭଳି ବୈଠକର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।