ଜୟନାରାୟଣ ମିଶ୍ର ନୂଆ ବିରୋଧୀ ଦଳ ନେତା । କହିଲେ ଗୁରୁଦାୟିତ୍ୱକୁ ସମ୍ପାଦନ କରିବାକୁ ପୂର୍ଣ୍ଣ ପ୍ରୟାସ କରିବି

62

କନକ ବ୍ୟୁରୋ : ୭୦ ବର୍ଷ ପରେ ସମ୍ବଲପୁରକୁ ମିଳିଛି ବିରୋଧୀ ଦଳ ନେତା ପଦ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ହୋଇଛନ୍ତି ନୂଆ ବିରୋଧୀ ଦଳ ନେତା । କେନ୍ଦ୍ରୀୟ ନେତୃତ୍ୱଙ୍କ ଉପସ୍ଥିତିରେ ଜୟନାରାୟଣଙ୍କ ନାମ ଘୋଷଣା କରିଛି ଦଳ । ଏହାସହ ୨୦୨୪ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଉଛି । କେବଳ ସେତିକି ନୁହେଁ ଆଗକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସିବେ । ଏହା ପରେ ବିଜେଡି ବିରୋଧୀ ଲଢେଇ ଆହୁରି ଜୋରଦାର ହୋଇ ହେବ ବୋଲି କହିଛନ୍ତି ନୂଆ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ବହୁ ଆଲୋଚନା ଓ ପ୍ରତୀକ୍ଷା ପରେ ଶେଷରେ ବିଜେପିର ଫାୟାରବ୍ରାଣ୍ଡ ନେତା ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଆସନରେ ବସାଇଛି ବିଜେପି । ଆଉ ପ୍ରଥମ ଦିନରୁ ଆକ୍ରାଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ଜୟନାରାୟଣ । ଆଉ ସିଧାସଳଖ ଶାସକଦଳକୁ ଟାର୍ଗେଟ କରିଛନ୍ତି । ଆଗକୁ ଦେଶ କଂଗ୍ରେସମୁକ୍ତ ଭାରତ ଓ ରାଜ୍ୟ ବିଜେଡି ମୁକ୍ତ ହେବ ବୋଲି ଦମ୍ଭୋକ୍ତି କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ । ଖାଲି ସେତିକି ନୁହେଁ ଅମିତ ଶାହାଙ୍କ ଗସ୍ତ ପରେ ବିଜେଡି ବିରୋଧୀ ଲଢେଇ ଜୋରଦାର ହେବ ବୋଲି ସେ କହିଛନ୍ତି ।

ଜୟନାରାୟଣ ପଶ୍ଚିମ ଓଡିଶାର ଟାଣୁଆ ନେତା । ତେଣୁ ପଶ୍ଚିମ ଓଡିଶାର କଟ୍ଟର ବିଜେଡି ବିରୋଧୀ ନେତାଙ୍କୁ ବିରୋଧୀ ଦଳ ନେତା କରି ଶାସକ ଦଳକୁ କଡା ସନ୍ଦେଶ ଦେଇଛି ବିଜେପି । କନକ ନ୍ୟୁଜକୁ ସାକ୍ଷାତକାର ଦେଇ ଜୟନାରାୟଣ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବାରୁ ବାରହା ଗାତରେ ଫସିଗଲା ବିଜେଡି । ୨୦୨୪ ସାଧାରଣ ନିର୍ବାଚନକୁ ୨ ବର୍ଷରୁ କମ ସମୟ ଥିଲେ ବି ଏବେଠୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ତେଣୁ ଆଗକୁ କିଭଳି ଲଢେଇ ହେଉଛି ତା ଉପରେ ରାଜନୈତିକ ମହଲ ନଜର ରଖିଛନ୍ତି ।