ବନ୍ଦ ହୋଇପାରେ ସରକାରୀ କାରଖାନା। କର୍ମ ହରାଇବା ଚିନ୍ତାରେ କର୍ମଚାରୀ। କାରଖାନାକୁ ପୁନଃ କାର୍ଯ୍ୟକ୍ଷମ ଦାବି କଲେ ଶ୍ରମିକ

263

କନକ ବ୍ୟୁରୋ: ବନ୍ଦ ହେବାକୁ ବସିଛି ଯାଜପୁର ବ୍ୟାସନଗରରେ ଥିବା ଏକ ମାତ୍ର ସରକାରୀ ଉଦ୍ୟୋଗ ଫେରୋକ୍ରୋମ କାରଖାନା । କଂଚାମାଲ ଅଭାବ ଦର୍ଶାଇ କାରଖାନାକୁ ବନ୍ଦ କରିଛନ୍ତି କର୍ତୃପକ୍ଷ । କାରଖାନାରେ ତାଲା ପଡିବା ନେଇ ସନ୍ଦେହ ସୃଷ୍ଟି ହେବା ପରେ କାର୍ଯ୍ୟରତ ଶତାଧିକ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଅନ୍ୟପଟେ ଫେରୋକ୍ରୋମର କ୍ୟାପ୍ଟିଭ ମାଇନ୍ସ ଦୀର୍ଘଦିନ ଧରି ବନ୍ଦ ରହିବା ଯୋଗୁଁ ସମସ୍ୟା ଅଧିକ ଜଟିଳ ହୋଇଛି । ସେପଟେ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବୀରେ ଯାଜପୁର ଅସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପଠାଯାଇଛି ।

କଂଚାମାଲ ଅଭାବ ଓ ଲଗାତର କ୍ଷତି ହେବା ଯୋଗୁଁ ସବୁଦିନ ପାଇଁ ବନ୍ଦ ହୋଇଯିବ କି ଫେରୋକ୍ରୋମ କାରଖାନା । ଯାଜପୁର ବ୍ୟାସନଗରରେ ଥିବା ଏକ ମାତ୍ର ସରକାରୀ ଉଦ୍ୟୋଗ ପରିଚାଳନାଗତ ତୃଟି ଯୋଗୁଁ ବନ୍ଦ ହେବାକୁ ବସିଛି । ଧିରେ ଧିରେ କାରଖାନାର ଅଧିକାଂଶ ୟୁନିଟକୁ ବନ୍ଦ କରାଯାଇଥିବା ବେଳେ ଅନ୍ୟ କେତୋଟି ୟୁନିଟ୍ ଚାଲୁଛି । ପଂଳରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ।

ଇଡକଲ ଅଧିନରେ ରହିଛି ଫେରୋକ୍ରୋମ କାରଖାନା । ଏହି କାରଖାନାର କ୍ୟାପ୍ଟିିଭ ମାଇନ୍ସ ପାଇଁ କାଳିଆପାଣିର ତୈଳଙ୍ଗି ଖଣି ରହିଛି । ଶ୍ରମିକ ସମସ୍ୟା ଯୋଗୁଁ ତାହା ମଧ୍ୟ ବନ୍ଦ ହୋଇପଡିଛି । ଫଳରେ କାରଖାନାରେ କଂଚା ମାଲର ସମସ୍ୟା ସୃଷ୍ଟି ହୋଇଛି । ପୁରା କାରଖାନାର ବନ୍ଦ ହେବା ନେଇ ଆଶାଙ୍କ ଉପୁଜିବା ପରେ ରାସ୍ତାକୁ ଓହ୍ଲାଇଛି ଅସଂଗଠିତ ଶ୍ରମିକ ସଂଗଠନ । ପ୍ରଥମରୁ କାହିଁକି କଂଚାମାଲ ଗଛିତ ନରଖି ଖୋଲାବଜାରରେ ବିକ୍ରି କରାଗଲା ତାକୁ ନେଇ ପ୍ରଶ୍ନ କରିବା ସହ କାରାଖାନା ପୁନଃ କାର୍ଯ୍ୟକ୍ଷମ କରି ଦାବି କରିଛି ସଂଗଠନ । ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କଳିଙ୍ଗନଜର ଭୂଅର୍ଜନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ତୁରନ୍ତ ଏକ ମାତ୍ର ସରକାରୀ ଉଦ୍ୟୋଗ ଫେରୋକ୍ରୋମ କାରଖାନା ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ବଡ ଧରଣର ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନା ରହିଛି ।