‘ପରାଜୟ ସ୍ୱୀକାର କଲେ ମୋଦି’ ! ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ଭାରତ ବିରୋଧରେ ବିଷ ଓଗାଳିଲା ଆତଙ୍କୀ ମାସୁଦ ଅଜହର

2,329

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଗୋଟିଏ ପଟେ ପାକିସ୍ତାନ ପାଗଳପ୍ରାୟ ବିଳାପ କରୁଛି । ଅନ୍ୟପଟେ ଆଜି କାଶ୍ମୀର ପ୍ରେମ ଦେଖେଇ ହୋଇଛି ଦୁର୍ଦ୍ଦଷ ଆତଙ୍କବାଦୀ ମାସୁଦ ଅଜହର । କାଶ୍ମୀର ପ୍ରସଙ୍ଗକୁ ନେଇ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ ଅଜହର ପୁଣି ଥରେ ଭାରତ ବିରୋଧରେ ବିଷୋଦଗାର କରିଛି । ଅଜହର ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ବିଶ୍ୱସ୍ତରରେ ଆତଙ୍କବାଦୀ ଘୋଷିତ ହୋଇସାରିଛି । ମେସେଜିଙ୍ଗ ଆପ୍ ଟେଲିଗ୍ରାମ ସାହାଯ୍ୟରେ ଅଜହରର ବୟାନ ସାମ୍ନାକୁ ଆସିଛି ।

କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି ମାସୁଦ । କାଶ୍ମୀରବାସୀଙ୍କ କଥା ଚିନ୍ତା ନକରି ମୋଦି ମନଇଚ୍ଛା ନିଷ୍ପତି ନେଇଛନ୍ତି । ନିଜର ପରାଜୟ ସ୍ୱୀକାର କରିନେଇଛନ୍ତି ବୋଲି ସେ ଜାରି କରିଥିବା ବୟାନରେ କହିଛି ମାସୁଦ । ୩୭୦ ଉଚ୍ଛେଦ ପରେ କାଶ୍ମୀର ମୁସଲମାନ ମାନେ ନିଜର ଅଧିକାର ହରାଇବେ । ବାହାର ସ୍ଥାନରୁ ଉଦ୍ୟୋଗପତିମାନେ ଜମି କିଣିବେ ।

ସେ କହିଛି ଭାରତ ସରକାର ନିଜ ପାଦରେ କୁରାଢ଼ୀ ମାରିଛନ୍ତି । ମୋଦି ସରକାରଙ୍କ ସ୍ୱପ୍ନ କେବେ ପୂରଣ ହେବନି । କାଶ୍ମୀରରେ ଜିହାଦର ଏକ ଅଧ୍ୟାୟ ପୁରା ହୋଇଛି । ସୂଚନାଯୋଗ୍ୟ ଭାରତ ସରକାର ଜମ୍ମୁକ-କାଶ୍ମରୀରୁ ୩୭୦ ଧାରା ଉଚ୍ଛେଦ କରିଛନ୍ତି । ଏହାସହ ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା କରିଛନ୍ତି ।