ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦର୍ଶକ କଲେ ଏଭଳି କାମ, ମହମ୍ମଦ ସାମୀଙ୍କ ନାଁ ନେଇ ଲଗାଇଲେ ଜୟ ଶ୍ରୀରାମ ନାରା

805

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟମ୍ୟାଚ ବେଳେ ଦର୍ଶକଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଠାରେ ବସିଥିବା କିଛି ଦର୍ଶକ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ ନାମ ନେଇ ଜୟ ଶ୍ରୀରାମ ନାରା ଲଗାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି ।

ଏହି ଘଟଣା ଅହମ୍ମଦାବାଦ ଟେଷ୍ଟ ଆରମ୍ଭ ହେବାର କିଛି ସମୟ ପୂର୍ବର । ଭିଡିଓରେ ଭାରତୀୟ ଖେଳାଳୀ ବାଉଣ୍ଡେରୀ ପାଖରେ ଠିଆ ହୋଇଥିବା ନଜରକୁ ଆସିଛି । ଏହି କ୍ରମରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ ସୂର୍ଯ୍ୟକୁମାରଙ୍କ ନାମରେ ଜୟଜୟକାର ପକାଉଛନ୍ତି । ଏହାପରେ ମହମ୍ମଦ ସାମୀ ଯେତେବେଳେ ପାଖକୁ ଆସୁଛନ୍ତି ସେତେବେଳେ ଲୋକମାନେ ଜୟ ଶ୍ରୀରାମ ନାରା ଲଗାଇବା ଆରମ୍ଭ କରୁଛନ୍ତି । ଏଠାରେ ଜଣେ ଦର୍ଶକ ସାମୀଙ୍କ ନାମ ନେଇ ଜୟ ଶ୍ରୀରାମ ନାରା ଲଗାଉଥିବା ମଧ୍ୟ ଶୁଣିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରତିକ୍ରିୟା ପ୍ରକାଶ ପାଉଛି । କିଛି କ୍ରିକେଟ ପ୍ରଶଂସକ ଏହାକୁ ଭୁଲ ବୋଲି କହୁଥିବା ବେଳେ ଗୁଜରାଟ କ୍ରିକେଟ ଆସୋସିଏସନ ଏହା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ସୂଚନା ଥାଉକି ମହମ୍ମଦ ସାମୀଙ୍କ ସହ ଏଭଳି ଘଟଣା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ଯେତେବେଳେ ଭାରତୀୟ ଟିମ୍ ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିରୋଧରେ ପରାଜିତ ହୋଇଥିଲା ସେତେବେଳେ ସୋସିଆଲ ମିଡିଆରେ ଏକ ଧର୍ମ ବିଶେଷ ବ୍ୟବହାରକାରୀ ସାମୀଙ୍କୁ ଏହି ପରାଜୟ ପାଇଁ ଦାୟୀ କରିଥିଲେ । ଏହାପରେ ସଚିନ ତେନ୍ଦୁଲକର ଓ ବିବିଏସ୍ ଲକ୍ଷ୍ମଣ ଭଳି ପୂର୍ବତନ ଖେଳାଳୀମାନେ ସାମୀଙ୍କ ସପକ୍ଷରେ ବାହାରିଥିଲେ ।