କଅଁଳ ବୟସରେ ଜୀବନକୁ କବଜା କରିନେଲା ବ୍ଲଡ କ୍ୟାନସର । ମାଟ୍ରିକ ପରୀକ୍ଷା ଦେଇପାରିଲେନି ଛାତ୍ର । ଭାଙ୍ଗିଗଲା ଭବାନୀଙ୍କ ସ୍ୱପ୍ନ ।

665

କନକ ବ୍ୟୁରୋ: କ୍ୟାନସର ଭାଙ୍ଗିଦେଲା ଭବାନୀଙ୍କ ସ୍ୱପ୍ନ । ମାଟ୍ରିକ ପରୀକ୍ଷା ଦେଇପାରିଲେନି ଛାତ୍ର । ବ୍ଲଡ କ୍ୟାନସର ସାଜିଲା ବାଧକ । ଏଇ ଆଖିରେ କେତେଯେ ସ୍ୱପ୍ନ ଉଙ୍କି ମାରୁଥିଲା । ନିଜ ଭବିଷ୍ୟତକୁ ନେଇ ସୁନେଲି ରଙ୍ଗର ସ୍ୱପ୍ନ ସବୁ ଦୁଇ ଆଖିରେ ପହଁରୁଥିଲା । ଜୀବନର ପ୍ରଥମ ପରୀକ୍ଷା ଦେଇ ଅଧିକ ପାଠ ପଢି ବଡ ହୋଇ ଚାକିରି କରିବ । ଗରିବ ଘରର ପୁଅଟିଏ ତ ନିଇତି ଏମିତି ସବୁ ଭାବି ହେଉଥାଏ, ଭବାନୀ ବି ଠିକ୍ ଏମିତି ଭାବୁଥିଲେ । ହେଲେ ତାଙ୍କ ଭାବନାରେ ବ୍ଲଡ କ୍ୟାନସର ବ୍ରେକ ଲଗାଇଦେବ ବୋଲି ନା ତାଙ୍କୁ ଜଣାଥିଲା ନା ତାଙ୍କ ପରିବାରକୁ । କ୍ୟାନସରର କବଳିତ ହେବା ପରେ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଭବାନୀ ନିଜ ଭାଗ୍ୟକୁ ଧିକ୍କାର କରି ଏକଦମ ନିର୍ବାକ ହୋଇପଡିଛନ୍ତି ।

ବାଲେଶ୍ୱରର ଭବାନୀ ଶଙ୍କର ପାଲ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଫିଲପ କରିଥିଲେ, ସମେଟିଭ- ୧ ପରୀକ୍ଷା ବି ଦେଇଥିଲେ । ମାତ୍ର ଦୁଇ ମାସ ତଳେ ତାଙ୍କ ପେଟରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତର ଦେଖାଇବା ପରେ ଜଣାପଡିଥିଲା ତାଙ୍କୁ ବ୍ଲଡ କ୍ୟାନସର ହୋଇଛି ବୋଲି । ଘରର ଏକମାତ୍ର ପୁଅକୁ କ୍ୟାନସ କବଳିତ କରିବା ପରେ ଭାଙ୍ଗିପଡିଥିଲା ପରିବାର । ଜଣେ ଚାଷୀ ବାପା ପାଇଁ ବମ୍ବେ ନେଇ ଚିକିତ୍ସା ଖର୍ଚ୍ଚ ଉଠାଇବା ସହଜ ନଥିବାରୁ ଘରେ ପୁଅକୁ ପକାଇ ରଖିଲେ ।

ସେପଟେ ମାଟ୍ରିକ ପରୀକ୍ଷା ଯେତେ ଯେତେ ନିକଟତର ହେଉଥାଏ, ଭବାନୀଙ୍କ ଦେହ ସେତେ ଖରାପ ହେଉଥାଏ । ମାରାତ୍ମକ କର୍କଟ ମାସ ଦୁଇଟାରେ ଭବାନୀଙ୍କ ଶରୀରକୁ ପୂରା ଦୁର୍ବଳ କରିଦେଲା । ନା ଚାଲିବାକୁ ବଳଥିଲା ନା ବସିବାକୁ । ସବୁବେଳେ ଶୋଇ ରହୁଥିବା ଭବାନୀ ଶେଷରେ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ । ଆଉ ପରୀକ୍ଷାର ପ୍ରଥମ ଦିନରେ ସାଙ୍ଗମାନେ ଯେତେବେଳେ ତାଙ୍କୁ ଦେଖାକରିବାକୁ ଆସିଛନ୍ତି ସେତେବେଳେ ପ୍ରଶ୍ନ ପତ୍ର ଆଡେଇ ନିଜ ଆଖିରୁ ଲୁହ ଗଡାଉଛନ୍ତି । ଯଦି ସେ ଭଲ ଥାନ୍ତେ ତାହାଲେ ଅନ୍ୟମାନଙ୍କ ପରି ସେ ବି ପରୀକ୍ଷା ଦେଉଥାନ୍ତେ ।

ତେବେ ଭବାନୀ ଖୁବଶୀଘ୍ର ଭଲ ହୋଇଯାଆନ୍ତୁଏବଂ ନୂଆ ଜୀବନ ପାଆନ୍ତୁ । ପ୍ରଶାସନିକ ସ୍ତରରେ ହେଉ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତା କରନ୍ତୁ ବୋଲି ସାଙ୍ଗମାନେ ଓ ପରିବାର ଲୋକେ ନିବେଦନ କରିଛନ୍ତି ।