ଶ୍ରୀମନ୍ଦିରରେ କମୁଛି ଆୟ, ବଢ଼ୁଛି ଖର୍ଚ୍ଚ । ବ୍ୟୟ ଅଟକଳଠାରୁ ଖର୍ଚ୍ଚ ହେଉଛି ଅଧିକ ଟଙ୍କା । ଉଠିଲା ପ୍ରଶ୍ନ, କାହିଁକି ହୁଣ୍ଡିକୁ ଆସୁନି ଟଙ୍କା?

713

କନକ ବ୍ୟୁରୋ: ସମସ୍ତଙ୍କ ମନରେ ଏକ ଧାରଣା ରହିଛି, ଶ୍ରୀମନ୍ଦିର ରାଜକୋଷରେ ଧନର ଅଭାବ ରହୁନି । କିନ୍ତୁ ଏବେ ଶ୍ରୀଜଗନ୍ନାଥ ମନ୍ଦିରରୁ ଅତ୍ୟନ୍ତ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି । ହୁଣ୍ଡିକୁ ଆସୁନି ଟଙ୍କା । ଏପ୍ରିଲରୁ ଜୁନ୍ ଭିତରେ ବ୍ୟୟ ଅଟକଳ ୧ କୋଟି ୮୦ ଲକ୍ଷ ଟଙ୍କା ଥିବାବେଳେ ଖର୍ଚ୍ଚ ହୋଇଛି ପ୍ରାୟ ୬ କୋଟି । ତେବେ ରଥଖଳା ପାଉଣା ବ୍ୟୟ ଅଟକଳ ଥିଲା ୧୫ ଲକ୍ଷ । ଖର୍ଚ୍ଚ ହୋଇଛି ୧ କୋଟି ୨୧ ଲକ୍ଷ ୮୧ ହଜାର । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ହୁଣ୍ଡିକୁ ଆସୁନି ଟଙ୍କା ଯାଉଛି କୁଆଡେ ।

ତିରୁପତି ବାଲାଜୀ ମନ୍ଦିରର ବାର୍ଷିକ ଦାନ ଅର୍ଥ ୫ଶହ କୋଟି । ଶିରିଡ଼ି ସାଇ ବାବା ମନ୍ଦିରର ବାର୍ଷିକ ଦାନ ଅର୍ଥ ୩ଶହ କୋଟି । ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିରର ବାର୍ଷିକ ଆୟ ୧୨୫ କୋଟି । ବୈଷ୍ଣୋଦେବୀ ମନ୍ଦିରର ବାର୍ଷିକ ଆୟ ୫ଶହ କୋଟି । ଦେଶର ପ୍ରତିଷ୍ଠିତ ମନ୍ଦିରର ଏହି ଆୟର ପରିମାଣ ସ୍ପଷ୍ଟ କରି ଦେଉଛି ଯେ, ମନ୍ଦିରର ରାଜକୋଷରେ ଧନର ଅଭାବ ରହୁନି । କିନ୍ତୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ଯେଉଁ ଖବର ଆସିଛି, ତାହା ଅତ୍ୟନ୍ତ ଚିନ୍ତାଜନକ ।

  • ଶ୍ରୀମନ୍ଦିରରେ ଆୟ ତୁଳନାରେ ବ୍ୟୟ ଅଧିକ
  • ଖାଲି ହେଉଛି ଶ୍ରୀମନ୍ଦିରର ରାଜକୋଷ ?

କୋଟି କୋଟି ଓଡିଆ ଓ ବିଶ୍ୱବ୍ୟାପି ଅଗଣିତ ଭକ୍ତଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଆୟ ବ୍ୟୟର ଯେଉଁ ହିସାବ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ବ୍ୟତିଥ କରିଛି ।

  • ଗତ ଏପ୍ରିଲରୁ ଜୁନ୍ ଭିତରେ ବ୍ୟୟ ଅଟକଳ ଥିଲା ୧ କୋଟି ୮୦ ଲକ୍ଷ । ଖର୍ଚ୍ଚ ହୋଇଛି ପ୍ରାୟ ୬ କୋଟି
  • ରଥଖଳା ପାଉଣା ବ୍ୟୟ ଅଟକଳ ଥିଲା ୧୫ ଲକ୍ଷ । ଖର୍ଚ୍ଚ ହୋଇଛି ୧ କୋଟି ୨୧ ଲକ୍ଷ ୮୧ ହଜାର
  • ଚନ୍ଦନ ଯାତ୍ରାର ବ୍ୟୟ ଅଟକଳ ଥିଲା ୫ଲକ୍ଷ ୫୦ ହଜାର । ଖର୍ଚ୍ଚ ହେଲା ୧୧ ଲକ୍ଷ ୨୮ ହଜାର ୮୫୦
  • ନୀତିକାନ୍ତି ବାବଦ ଅଟକଳ ଥିଲା ୩ଲକ୍ଷ ୭୫ ହଜାର । ଖର୍ଚ୍ଚ ହେଲା ୫ ଲକ୍ଷ ୪ ହଜାର ୬୩୦ ଟଙ୍କା
  • ସେବକଙ୍କ ଧ୍ୱଜା ପାଉଣା ବାବଦରେ ଅଟକଳ ଥିଲା ୮ ଲକ୍ଷ ୭୫ ହଜାର । ଖର୍ଚ୍ଚ ହୋଇଛି ୧୩ ଲକ୍ଷ ୮୩ ହଜାର ୯୯୪ ଟଙ୍କା
  • ସେବକ ସ୍ୱାସ୍ଥ୍ୟ ବୀମା ବାବଦକୁ ବ୍ୟୟ ଅଟକଳ ଥିଲା ୭୬ ଲକ୍ଷ ୭୫ ହଜାର । ଖର୍ଚ୍ଚ ହେଲା ୩ କୋଟି ୧୦ ଲକ୍ଷ ୯୨ ହଜାର ୪୮୦ ଟଙ୍କା

ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏବେ ଚିନ୍ତା ହେଉଛି, ବ୍ୟୟ ତୁଳନାରେ ଆୟ ବଢ଼ିବ କେମିତି?

ମନ୍ଦିରଗୁଡ଼ିକର ଆୟ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଭୂମିକା ନେଇଥାଏ, ଶ୍ରଦ୍ଧାଳୁଙ୍କଠାରୁ ଦାନ ଆକାରରେ ମିଳୁଥିବା ଅର୍ଥ କିମ୍ବା ସୁନା । କିନ୍ତୁ ଅଭିଯୋଗ ହୁଏ, ଦାନ ଅର୍ଥ ହୁଣ୍ଡିକୁ କିମ୍ବା ମନ୍ଦିର ପାଣ୍ଠିକୁ ଯିବା ପୂର୍ବରୁ ଅଧାବାଟରେ ସେବାୟତଙ୍କ ମୁଣିକୁ ଚାଲିଯାଉଛି । ତେଣୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ କଲେ, ଆୟ ବଢ଼ିବ ବୋଲି ବୁଦ୍ଧିଜୀବୀଙ୍କ ମତ ।