ଦିଲ୍ଲୀ ଏମ୍ସରୁ ଆସିଛି ଭଲ ଖବର । ସୁସ୍ଥ ହେଲା ଜଗା, ସୁଧୁରୁଛି ବଳିଆର ସ୍ୱାସ୍ଥ୍ୟବସ୍ଥା

27

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରୁ ଆସିଛି ଭଲ ଖବର । ସୁସ୍ଥ ହୋଇଛି ଜଗା । ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ଭିତରୁ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଜଗାର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ତାର ଡିସଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିବା ବେଳେ ବଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଯୋଡାମୁଣ୍ଡ ଥିବା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା ବେଳେ ବଳିଆର ସ୍ୱାସ୍ଥ୍ୟ ବସ୍ଥାରେ ସୁଧାର ଆସିବା ପାଇଁ ଅଧିକ ସମୟ ଲାଗୁଛି । ଏହାପୂର୍ବରୁ ଜଗା ବଲ୍ ଖେଳିବା ସହ ନିଜ ହାତରେ ବିସ୍କୁଟ ଖାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ବାଏ ବାଏ କରିଥିଲା ଜଗା । ଏହାପରେ ଏମ୍ସ ପକ୍ଷରୁ ଏକ ଭିଡିଓ ମଧ୍ୟ ନିକଟରେ ଜାରି ହୋଇଥିଲା ଯେଉଁଥିରେ ଜଗା ଚାଲୁଥିବାର ଦୃଶ୍ୟ ରହିଥିଲା ।

ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ଅପରେସନଟି ବେଶ ଜଟିଲ ଥିଲା । କାରଣ ଏହି ଅବରେସନରେ ଲାଗିରହିଥିବା ଉଭୟଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତର ଟିମ୍ ଗଠନ କରାଯାଇଥିଲା । ଏଥିରେ ନିଶ୍ଚେତକ, ହୃଦବିଭାଗ, ଶିଶୁ ଚିକିତ୍ସା ବିଭାଗ, ନ୍ୟୁରୋଲଜି ଆଦି ବିଭିନ୍ନ ବିଭାଗର ଡାକ୍ତର ରହିଥିଲେ । ଅପରେସନରେ ୨୦ ସର୍ଜନ ଓ ୧୦ ଆନାସଥେସିଆ ସ୍ପେଶାଲିଷ୍ଟ ଥିଲେ । ୨୫ ଘଂଟା ଧରି ଚାଲିଥିଲା ଏହି ଅପରେସନ । ତା ପୂର୍ବରୁ ଅଗଷ୍ଟ ୨୮ତାରିଖରେ ଦିଲ୍ଲୀ ଏମ୍ସରେ ଜଗା ବଳିଆଙ୍କ ପ୍ରଥମ ପର୍ୟ୍ୟାୟ ଅପରେସନ ହୋଇଥିଲା । ୪୦ ଜଣିଆ ଡାକ୍ତରୀ ଦଳ ୨୦ଘଂଟାରୁ ଅଧିକ ସମୟ ଧରି ଏହି ଅପରେସନ କରିଥିଲେ । ଏସବୁ ଭିତରେ ଜଗାବଳିଆଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।