ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ନଷ୍ଟ କରିବାକୁ ଲାଗିବ ବର୍ଷେ : ୧୯ଟି ସ୍ଥାନରେ ୪୦ଟି ମେସିନ ନିୟୋଜିତ

24

କନକ ବ୍ୟୁରୋ : ପୁରୁଣା ନୋଟକୁ ନଷ୍ଟ କରିବା ଏବେ ରିଜର୍ଭ ବ୍ୟାଙ୍କ୍ ପାଇଁ ବଡ଼ କାମ । ନିକଟରେ ଅଚଳ ହୋଇଥିବା ପାଂଚ ଶହ ଓ ହଜାରେ ଟଙ୍କିଆ ନୋଟକୁ ନଷ୍ଟ କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଅନ୍ତତଃ ବର୍ଷେ ଲାଗିବ ବୋଲି କୁହାଯାଉଛି । ବର୍ତମାନ ଦେଶର ୧୯ଟି ସ୍ଥାନରେ ଥିବା ୪୦ଟି ମେସିନରେ ନୋଟକୁ ବାଛି ଚିରିବା କାମ ଆରମ୍ଭ ହୋଇଛି ।

ଏହି କେନ୍ଦ୍ରଗୁଡ଼ିକୁ ଏବେ ହଜାର ହଜାର ନୋଟଭର୍ତି ଅଖାବସ୍ତା ଆସୁଛି । ଗୋଟିଏ ମେସିନରେ ଘଂଟାକୁ ଅଢ଼େଇ ଲକ୍ଷ ନୋଟ୍ ଚିରି ନଷ୍ଟ କରାଯାଇପାରିବ । ଜାପାନ ଓ ଜର୍ମାନୀରୁ ଏହି ମେସିନଗୁଡ଼ିକ ଆମଦାନୀ କରାଯାଇଛି । ୨୦୦୩ ମସିହା ପୂର୍ବରୁ କର୍ମଚାରୀମାନେ ହାତରେ ଜାଲ୍ ଓ ଖରାପ ନୋଟ୍ ବାଛି ତାକୁ ପୋଡୁଥିଲେ ।

ମାତ୍ର ବିମଲ ଜଲାନ୍ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ହେଲା ପରେ ଜାପାନ ଓ ଜର୍ମାନୀରୁ ଏହି ଟଙ୍କା ବାଛି ଚିରିବା ମେସିନ୍ ବା ସ୍ରେଡିଂ ମେସିନ୍ ଆସିଥିଲା । ଏମିତି ଭାବେ ଏବେ ପ୍ରାୟ ଦେଢ଼ ହଜାର କୋଟି- ପାଂଚଶହ ଓ ହଜାରେ ଟଙ୍କିଆ ନୋଟ୍ ନଷ୍ଟ କରାଯିବ । ଏଥିପାଇଁ ପ୍ରାୟ ବର୍ଷେ ଲାଗିଯିବ ବୋଲି ଜଣେ ରିଜର୍ଭ ବ୍ୟାଙ୍କ୍ ଅଧିକାରୀ କହିଛନ୍ତି ।