ଦିନ ଗଡୁଛି, ରହସ୍ୟ ବଢୁଛି । ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁକୁ ପୂରିଲା ୮ ଦିନ । ଏଯାଏଁ ଆରମ୍ଭ ହେଲାନି ତଦନ୍ତ 

93

କନକ ବ୍ୟୁରୋ: ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣାରେ ତଦନ୍ତ କଣ ହେଲା ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ତଦନ୍ତ କେମିତି ଚାଲିଛି ଏବଂ କେମିତି ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଉଛି, ତାହା କେହି ବୁଝି ପାରୁ ନାହାନ୍ତି । ପ୍ରକୃତରେ ତଦନ୍ତ ଆରମ୍ଭ ହୋଇଛି କି ନାହିଁ, ନା ତଦନ୍ତ ଚାଲିଛି, ନା ତଦନ୍ତ ସରିଗଲାଣି, ତାହା ବି ଜଣା ପଡୁନାହିଁ । କୁହାଯାଉଛି, ଶାଳୁଆପଲ୍ଲୀ ଫରେଷ୍ଟ ଗେଷ୍ଟ ହାଉସରେ ଯେଉଁ ଗୁପ୍ତ ବୈଠକ ବସିଥିଲା, ସେହିଠାରେ ହିଁ ତଦନ୍ତର ଦିଗ ନିର୍ଣ୍ଣୟ ହୋଇଯାଇଥିଲା । ଏସବୁ ଦ୍ୱନ୍ଦ୍ୱ ଭିତରେ ଗଞ୍ଜାମ ପୋଲିସ ବର୍ତ୍ତର୍ମାନ ସାଧାରଣ ଲୋକଙ୍କ ଆଗରେ ଏନେଇ ତଥ୍ୟ ଦେବା ଦରକାର ବୋଲି ଲୋକେ ଅନୁଭବ କରୁଛନ୍ତି ।

ଗଞ୍ଜାମ ଗାଙ୍ଗପୁର ଆଇଆଇସି ଦେବକୁମାର ଗମାଙ୍ଗଙ୍କ ମୃତ୍ୟୁର ତଦନ୍ତ ବିଳମ୍ବ ହେବାରେ ଲାଗିଛି ।  ଆଉ ଏହାରି ଭିତରେ ଯାହା ସବୁ ଘଟିଛି, ପୂରା ମାମଲାକୁ ଅଧିକ ରହସ୍ୟ ଘେରକୁ ଟାଣି ନେଇଛି । ନିଜ ସର୍ଭିସ ରିଭଲଭରରୁ ଗୁଳି ବାଜି ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଥିଲା । ଦୁର୍ଘଟଣା ନା ଆତ୍ମହତ୍ୟା ନା ମାନସିକ ଚାପ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ଏହାରି ଭିତରେ ଘୁରିବୁଲୁଛି ଏହି ମାମଲା ।

ଯେଉଁ ପରି ଭାବେ ମାମଲା ପରିଚାଳନା କରାଯାଉଛି, ସେଥିରୁ ପୂରା ସ୍ପଷ୍ଟ ହେଉଛି, ଏପରି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ଆଦୌ ଆଗ୍ରହ ଦେଖାଉନାହିଁ ଗଞ୍ଜାମ ପୋଲିସ । କାହିଁକି ତଦନ୍ତ ଆରମ୍ଭ ହୋଇ ପାରୁନି, ଏ ନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ ଅଚାନକ ଛୁଟିରେ ଚାଲି ଯାଇଛନ୍ତି ଗଞ୍ଜାମ ଏସପି । ଯାହାକୁ ନେଇ ଏବେ ମାଳ ମାଳ ପ୍ରଶ୍ନରେ ଛନ୍ଦି ହୋଇଯାଇଛି ଏହି ମାମଲା । ନଜର ପକାନ୍ତୁ ଗାଙ୍ଗପୁର ଆଇଆଇସି ମୃତ୍ୟୁ, ତଦନ୍ତ ପାଇଁ ପୋଲିସର ନିଷ୍କ୍ରିୟତା ଏବଂ ଏ ନେଇ ସାଧାରଣରେ ଉଠୁଥିବା ଅନେକ ଅସାମହିତ ପ୍ରଶ୍ନ ଉପରେ…

  • ମୃତ୍ୟୁ ପରେ ଗାଙ୍ଗପୁର ଆଇଆଇସିଙ୍କ କ୍ୱାର୍ଟର୍ସକୁ କାହିଁକି ସିଲ କରାଯାଇନାହିଁ?
  • ନମୂନା ସଂଗ୍ରହ ପୂର୍ବରୁ ପାଣି ପକାଇ ଘଟଣାସ୍ଥଳରୁ ରକ୍ତ ଧୋଇ ଦିଆଗଲା କାହା ନିର୍ଦ୍ଦେଶରେ?
  • କାହିଁକି ସାଇଣ୍ଟିଫିକ ଟିମ୍ ତରବରିଆ ଭାବେ ତଦନ୍ତ କରି ଚାଲିଗଲେ?
  • ତଦନ୍ତ ସମୟରେ ଗଣମାଧ୍ୟମକୁ କାହିଁକି ଦୂରେଇ ରଖାଗଲା?
  • ଅନ୍ତ୍ୟେଷ୍ଟି ପୂର୍ବରୁ କ୍ୱାର୍ଟର୍ସରୁ ସବୁ ଜିନିଷପତ୍ର ନେଇ କାହିଁକି ଚାଲିଗଲେ ଦେବ କୁମାରଙ୍କ ସ୍ତ୍ରୀ?
  • ରାତି ଅଧିଆ ଆସି ସମସ୍ତ ଆସବାବପତ୍ର ନେଇଯିବା ପଛରେ କିଛି ଚାପ ରହିଥିଲା କି?
  • ରାତି ଅଧରେ ଫରେଷ୍ଟ ଗେଷ୍ଟ ହାଉସ ଭୋଜି ପଛର ରହସ୍ୟ କ’ଣ?
  • ଭୋଜି ପରେ ଆଉ କେହି ତଦନ୍ତ କରିବାକୁ ଆସିନାହାନ୍ତି କାହିଁକି?
  • ତଦନ୍ତଭାର ନେଇଥିବା ଏଚଆରପିସି ତାର ତଦନ୍ତ ରିପୋର୍ଟ ଦେଇସାରିଛି କି?
  • ଘଟଣା ପରଠାରୁ କାହିଁକି ଗାଙ୍ଗପୁର ଥାନାକୁ ଆଦୌ ଯାଇନାହାନ୍ତି ଗଞ୍ଜାମ ଏସପି?
  • ଅଚାନକ ବୁଧବାରଠାରୁ ଏସପି କାହିଁକି ଚାଲି ଯାଇଛନ୍ତି ଛୁଟିରେ?

ଏହିସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଆନ୍ଦୋଳିତ ହେଉଥିବା ବେଳେ ଗାଙ୍ଗପୁର ଆଇଆଇସିଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା ବୋଲି ପ୍ରମାଣ କରିବାକୁ ଉଦ୍ୟମ ହେଉଛି । ଯେଉଁ ସବୁ ଅଡିଓ କ୍ଲିପ୍ ଭାଇରାଲ ହେଉଛି, କିଏ ଏହା ପଛରେ ରହିଛି ଏବଂ ଉଦ୍ଦେଶ୍ୟ କଣ ରହିଛି, ତାକୁ ନେଇ ଚର୍ଚ୍ଚା ହେଉଛି । ସେପଟେ କେନ୍ଦୁପଦର ହତ୍ୟା ଘଟଣା ସହ ଏହାର ଲିଙ୍କ୍ ଥିବା ନେଇ ମଧ୍ୟ ସନ୍ଦେହ ରହିଛି ।