ମାନସଙ୍କୁ ହତ୍ୟା ପରେ କେମିତି ପୋତିଥିଲେ ମୃତଦେହ ? ଚାନ୍ଦବାଲି, ଭୁବନେଶ୍ୱର ଓ ରଣପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା

216

କନକ ବ୍ୟୁରୋ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କେଉଁଠୁ ଓ କେମିତି ଅପହରଣ କରାଯାଇଥିଲା? କେଉଁଠି ଓ କେମିତି ହତ୍ୟା କରାଯାଇଥିଲା ଓ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ କଣ କରାଯାଇଥିଲା ତାର ଡେମୋ ଦେଖାଇଛନ୍ତି ମୁଖ୍ୟ ଷଡଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଶର୍ମିଷ୍ଠାଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଛନ୍ତି । ଆଉ ଶର୍ମିଷ୍ଠା ଅପହରଣ ଓ ହତ୍ୟାକାଣ୍ଡ ପୂରା କାହାଣୀ ଦେଖାଇଛନ୍ତି ।

ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ନେଇ ବିଭିନ୍ନ ସ୍ଥାନରେ ସିନ୍ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲିର ଯେଉଁସ୍ଥାନରୁ ମାନସଙ୍କୁ ଅପହରଣ କରାଯାଇଥିଲା, ପ୍ରଥମେ ସେହି ସ୍ଥାନକୁ ଶର୍ମିଷ୍ଠାଙ୍କୁ ନେଇଥିଲେ କ୍ରାଇମବ୍ରାଞ୍ଚ ଟିମ୍ । ସେଠାରେ କେମିତି ଓ କେଉଁଠୁ ଅପହରଣ କରିଥିଲେ ତାର ଡେମୋ ଦେଖାଇଥିଲେ ଶର୍ମିଷ୍ଠା । ଏକ ଗାଁ ଭିତରୁ ଅପହରଣ କରିବା ପରେ ମାନସଙ୍କୁ ହତ୍ୟା କରାଯାଇଥିବାରୁ ସିନ ରିକ୍ରିଏସନ ପାଇଁ ଶର୍ମିଷ୍ଠାଙ୍କୁ ନେବାବେଳେ ସେଠାରେ ବହୁ ସଂଖ୍ୟାରେ ଲୋକ ଭିଡ ଜମାଇଥିଲେ । ଆଉ ଲୋକଙ୍କ ଭିତରେ ଦେଖିବାକୁ ମିଳିଥିଲା ଆକ୍ରୋଶ ।

ଚାନ୍ଦବାଲି ପରେ ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଦୟାଲ ଆଶ୍ରମକୁ ଆଣିଥିଲା କ୍ରାଇମବ୍ରାଞ୍ଚ । କଡା ସୁରକ୍ଷା ବଳୟ ଭିତରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଆଶ୍ରମକୁ ନେଇ ମାନସଙ୍କୁ କେଉଁଠି ରଖିଥିଲେ, କେମିତି ମାରିଥିଲେ, ମାରିବା ପରେ କଣ କରିଥିଲେ ସେସବୁର ସିନ ରିକ୍ରିଏଟ କରିଛନ୍ତି । ତେବେ ଦୟାଲ ଆଶ୍ରମ ଭିତରେ ମାନସଙ୍କୁ କେଉଁ ରୁମରେ ରଖିଥିଲେ, ସେ ନେଇ ଡେମୋ ଦେଖାଇଛନ୍ତି ଶର୍ମିଷ୍ଠା । କୁହାଯାଉଛି, ରୁମ ଭିତରେ ଡେମୋ ଦେଖାଇବାବେଳେ ଅଭିଯୁକ୍ତ ଶର୍ମିଷ୍ଠା କାନ୍ଦି ପକାଇଥିଲେ । ଅନ୍ୟପଟେ ଶର୍ମିଷ୍ଠାଙ୍କୁ ଦେଖିବା ପାଇଁ ଆଶ୍ରମ ବାହାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

ଶେଷରେ ଶର୍ମିଷ୍ଠାଙ୍କୁ ରଣପୁରକୁ ନିଆଯାଇଥିଲା । ଯେଉଁଠି ସେ ଓ ତାଙ୍କର ସହଯୋଗୀ ପ୍ରମାଣ ନଷ୍ଟ କରିବା ପାଇଁ ମାନସଙ୍କ ଶବକୁ ପୋତି ଦେଇଥିଲେ । ଶବକୁ କେଉଁଠି ଓ କେମିତି ପୋତିଥିଲେ, ସେ ସବୁର ପୂରା ସିନ କହିଥିଲେ ଅଭିଯୁକ୍ତ । ଶର୍ମିଷ୍ଠାଙ୍କ ବିରୋଧରେ ପ୍ରମାଣକୁ ଆହୁରି ଶକ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଏହି ସିନ ରିକ୍ରିଏସନ କରିଥିବା କୁହାଯାଉଛି ।