ସରିଲା ‘ସାହାରା’ ଗ୍ରୁପର କାରସାଦି । ଗ୍ରହଣ କରିପାରିବନି ନୂଆ ନିବେଶ । ଦିଲ୍ଲୀ ହାଇକୋର୍ଟ ଦେଲେ ଝଟକା

2,269

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଜମାକାରୀଙ୍କୁ ଠକି ଚାଲିଥିବା ସାହାରାକୁ ଚରମବାଣୀ ଶୁଣାଇଛନ୍ତି କୋର୍ଟ । ଦିଲ୍ଲୀ ହାଇକୋର୍ଟ ସାହାରରେ ପୁଞ୍ଜି ନିବେଶ ଉପରେ ରୋକ ଲଗାଇଛନ୍ତି । ଏହାଛଡା ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି, ଦୁଇ ସପ୍ତାହ ଭିତରେ ପୁଞ୍ଜି ନିବେଶକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ସାହାର ପାଇଁ ବଡ ଝଟକା ହୋଇଛି ।ବର୍ଷ ବର୍ଷ ଧରି ଜମାକାରୀଙ୍କୁ ଠକି ଆସୁଥିବା ସାହାରା ଗ୍ରୁପକୁ ମିଳିଛି ଚରମବାଣୀ । ମଲ୍ଟି-ଷ୍ଟେଟ୍ କୋଅପରେଟିଭ୍ ସୋସାଇଟିର କେନ୍ଦ୍ରୀୟ ରେଜିଷ୍ଟ୍ରାରକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି..

  • ଆଉ କୌଣସି ନୂଆ ଜମା ଗ୍ରହଣ କରିପାରିବନି କମ୍ପାନୀ
  • ଜମାକାରୀଙ୍କ ଜମାରାଶିକୁ ନିବେଶ କିମ୍ବା ନବୀକରଣ କରିବା ଉପରେ ରୋକ୍
  • ୨ ସପ୍ତାହ ମଧ୍ୟରେ ଜମାକାରୀଙ୍କୁ ଟଙ୍କା ଫେରାଯିବ
  • ସାହାରା ଗ୍ରୁପ ନିବେଶକଙ୍କ ଆବେଦନ ଯାଞ୍ଚର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ

ବଡ କଥା ହେଲା, ସୋସାଇଟି ଗୁଡ଼ିକରେ ପ୍ରାୟ ୭ ରୁ ୧୦ କୋଟି ଜମାକାରୀ ଥିଲେ । ଆଉ ଏସବୁ ସୋସାଇଟିରୁ ୬୦ ହଜାର କୋଟିରୁ ଅଧିକ ଟଙ୍କା ନେଇ ଲୋନାବନଲାରେ ଥିବା ଆମ୍ବି ଭ୍ୟାଲି ପ୍ରୋଜେକ୍ଟରେ ନିବେଶ କରାଯାଇଛି । ସେହିଭଳି ସୋସାଇଟିରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଉଠାଇ ଗ୍ରୁପ ପ୍ରମୋଟର ସୁବ୍ରତ ରୟଙ୍କ ଜାମିନ ପାଇଁ ବେଲ୍ ବଣ୍ଡ ଦିଆଯାଇଛି । ଯାହାଫଳରେ ମାଚ୍ୟୁରିଟି ପାଇଥିଲେ ବି ଶହ ଶହ ଜମାକାରୀ ଟଙ୍କା ଫେରସ୍ତ ପାଇନଥିଲେ ।

ପୂର୍ବରୁ ଏକାଧିକ ଥର ସାହାରାର ଦେଶରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଜମାକାରୀ ମାନେ ଏକାଠି ହୋଇ କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ପ୍ରତିବାଦ କରିଥିଲେ । ଜମା ଟଙ୍କା ନମିଳିଲେ ଅଫିସ୍ ପରିସର ଛାଡିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । କମ୍ପାନୀ ପକ୍ଷରୁ ବାହାନା କରାଯାଇ, ଆକାଉଣ୍ଟ ଫ୍ରିଜ୍ ହୋଇଥିବାରୁ ଟଙ୍କା ଦେବା ସମ୍ଭବପର ହେଉନଥିବା କୁହାଯାଇଥିବା ବେଳେ ଏବେ ଅସଲ ଦିଗ ସବୁ ସାମ୍ନାକୁ ଆସିଛି । ଯେହେତୁ ଜମାକାରୀଙ୍କ ଅର୍ଥକୁ ଏକାଧିକ ବାଟରେ ବେଆଇନ ଭାବେ କମ୍ପାନୀ ଖର୍ଚ୍ଚ କରିଥିଲା, ତେଣୁ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ହୋଇପାରିନଥିଲା ।

ନିବେଶକାରୀଙ୍କ ଆବେଦନର ଯାଞ୍ଚ କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସାହାରା କରିଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା । ଗତବର୍ଷ ଜାନୁଆରୀରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କ ଆଦେଶକୁ ସ୍ଥଗିତ ରଖିଥିଲେ ।