ହମାସ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ । ଗାଜା ଷ୍ଟ୍ରିପ୍ ଦଖଲ କରିବାକୁ ଉଦ୍ୟମ । ହମାସ ଆତଙ୍କବାଦୀଙ୍କ ଧମକ, ଗୋଟିଏ ରକେଟ୍ ମାଡ଼ କଲେ, ଗୋଟିଏ ମୁଣ୍ଡ ଗଡିବ

219

କନକ ବ୍ୟୁରୋ: ଲଗାତର ଚତୁର୍ଥ ଦିନରେ ଆକାଶ ମାର୍ଗରୁ ଜୋରଦାର ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଏପର୍ଯ୍ୟନ୍ତ ହମାସ ଆତଙ୍କବାଦୀଙ୍କ ଅଭୂତପୂର୍ବ କ୍ଷତି କରିସାରିଛି ଇସ୍ରାଏଲ । ସେନା ଦାବି କରିଛି ଯେ, ଗାଜାରେ ପ୍ରାୟ ୧୫ଶହ ହମାସ ବିଦ୍ରୋହୀ ସେନାଙ୍କ ମୃତଦେହ ପଡିରହିଛି । ସେପଟେ ଶନିବାର ଅତର୍କିତ ଆକ୍ରମଣ କରିବା ପରେ ଦେଢଶହରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରିନେଇଥିଲା ହମାସ ।

ଏବେ ଇସ୍ରାଏଲର ଘନଘନ ଆକ୍ରମଣକୁ ଦେଖି ଧମକ ଦେଇଛନ୍ତି ହମାସ ଆତଙ୍କବାଦୀ ଗୋଷ୍ଠୀ । ଆଉ କହିଛନ୍ତି, ଗୋଟିଏ ରକେଟ୍ ମାଡ଼ କଲେ ଜଣେ ପଣବନ୍ଦୀଙ୍କୁ ହତ୍ୟା କରିବୁ । ଏପିରିକି ଭୟ ସୃଷ୍ଟି କରିବା ପାଇଁ ଏକ ଭିଡିଓ ପୋଷ୍ଟ କରିଛନ୍ତି ହମାସ ଆତଙ୍କବାଦୀ । ଭିଡିଓରେ ହମାସର ଜଣେ ସୈନିକ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ସଂପର୍କୀୟାଙ୍କ ସହ ସେଲ୍ଫି ନେଉଛନ୍ତି । ଅନ୍ୟପଟେ କିନ୍ତୁ ଇସ୍ରାଏଲ ସେନା ସହ ଚଟ୍ଟାଣ ଭଳି ଛିଡା ହୋଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ସେ କହିଛନ୍ତି, ଯୁଦ୍ଧ ଆମେ ଆରମ୍ଭ କରିନଥିଲୁ କିନ୍ତୁ ଆମେ ନିଶ୍ଚୟ ଶେଷ କରିବୁ । ହମାସ ଆତଙ୍କବାଦୀ କବଜା କରି ନେଇଥିବା ଗାଜା ଅଞ୍ଚଳକୁ ସଂପୂର୍ଣ୍ଣ ସିଲ କରି, ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ ସେନା । ଗାଜା ଷ୍ଟ୍ରିପକୁ ସଂପୂର୍ଣ୍ଣ କବଜାକୁ ନେବାପାଇଁ ପ୍ରାୟ ୧ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ ହୋଇଛନ୍ତି ।

ହମାସ ଆତଙ୍କବାଦୀଙ୍କ ବର୍ବରତା ବିରୋଧରେ ଇସ୍ରାଏଲ ସେନାର ମନୋବଳ ବଢାଇବାକୁ ସୈନିକଙ୍କ ପଛରେ ମଧ୍ୟ ଛିଡା ହୋଇଛନ୍ତି ସାଧାରଣ ନାଗରିକ । ଯୁଦ୍ଧରେ ମୁତୟନ ସୈନିକଙ୍କୁ ଖାଦ୍ୟ ପ୍ୟାକେଟ୍ ଓ କୋଲଡ୍ରିଂସ ବାଣ୍ଟିଛନ୍ତି ଇସ୍ରାଏଲ ନାଗରିକ । ଯୁଦ୍ଧ ସମୟରେ ଦେଶବାସୀଙ୍କ ଏଭଲି ସମର୍ଥନ ଇସ୍ରାଏଲ ସେନାର ବଳ ଓ ମନୋବଳ ଉଭୟକୁ ବଢାଇ ଦେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗାଜାର ଦକ୍ଷିଣ ପ୍ରାନ୍ତରେ ଅଧିକାଂଶ ଅଞ୍ଚଳ ଦଖଲ କରିସାରିଥିବା ଇସ୍ରାଏଲ ସେନା ଦାବି କରିଛି । ଶନିବାର ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ଓ ଏହା ବିରୋଧରେ ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ଦୁଇଭାଗ ହୋଇଯାଇଛନ୍ତି ମୁସଲମାନ ଦେଶ ସମୁହ । ଆମେରିକା ମଧ୍ୟ ଇସ୍ରାଏଲକୁ ସମର୍ଥନ କରି ଯୁଦ୍ଧାସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଇ ଦେଇଛି । ବ୍ରାଜିଲ, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଆୟରଲ୍ୟାଣ୍ଡ, ମେକ୍ସିକୋ, ନେପାଳ ଏବଂ ୟୁକ୍ରେନର ଏକାଧିକ ନାଗରିକଙ୍କୁ ହତ୍ୟା କିମ୍ବା ଅପହରଣର କରାଯାଇଥିବା ଅଭିଯୋଗ ହୋଇଛି ।

ଯୁଦ୍ଧରେ କିଏ କାହା କାହା ସହିତ?

  • ଇସ୍ରାଏଲ- ଆମେରିକା, ଭାରତ, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜର୍ମାନୀ, ୟୁଏଇ
  • ହମାସ- ଇରାନ୍, କାତାର, ଲେବାନନ୍, ପାକିସ୍ତାନ, କୁଏତ୍, ଆଫଗାନିସ୍ତାନ, ତୁର୍କୀ

ସବୁବେଳେ ଆତଙ୍କବାଦ ବିରୋଧରେ ପକ୍ଷ ନେଇ ଆସୁଥିବା ଭାରତ ଏଥର ମଧ୍ୟ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ସହିତ ଛିଡା ହୋଇଛି । ଏତିକିବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୋଦୀ । ଗୋଟିଏ ପଟେ ଭାରତ ସରକାର ଇସ୍ରାଏଲ ପଛରେ ଛିଡ଼ା ହୋଇଥିବାବେଳେ ଅନ୍ୟପଟେ କଂଗ୍ରେସ ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କରିଛି । ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶେଷ ମୁହୂର୍ତରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ ହୋଇଛି । ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅନେକଥର ପାଲେଷ୍ଟାଇନକୁ ଖୋଲାଖୋଲି ସମର୍ଥନ କରିଛି । ପାଲେଷ୍ଟାଇନର ଜନସାଧାରଣଙ୍କ ସମର୍ଥନରେ ଏହି ସଂକଳ୍ପ ପାରିତ କରିଛି କଂଗ୍ରେସ କାର୍ଯ୍ୟକାରିଣୀ ।