ଆପଣ ଖାଉଥିବା ମେଡିସିନ୍ ଅସଲି ନା ନକଲି? ଏବେ ମେଡିସିନ ଉପରେ ରହିବ କ୍ୟୁଆର କୋଡ୍ । ସ୍କାନ କରି ସମସ୍ତ ତଥ୍ୟ ଜାଣିପାରିବେ ଗ୍ରାହକ । 

273

କନକ ବ୍ୟୁରୋ: ଆପଣ ଖାଉଥିବା ମେଡିସିନ୍ ଅସଲି ନା ନକଲି? ଏହା କେତେ ଭଲ ଆଉ କେତେ ଖରାପ? ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନି । କାହିଁକି ଗୋଟିଏ ଥରରେ ଆପଣ ଏ ସବୁକିଛି ତଥ୍ୟ ଜାଣିପାରିବେ । କେନ୍ଦ୍ର ସରକାର ମଙ୍ଗଳବାର ପାଖାପାଖି ୩୦୦ ପ୍ରକାର ମେଡିସିନ୍ ଉପରେ କ୍ୟୁଆର୍ କୋଡ୍ ଲଗାଇବାକୁ ଆଦେଶ ଜାରି କରିଛନ୍ତି । ଯେଉଁ କ୍ୟୁଆର କୋଡକୁ ସ୍କାନ୍ କଲେ ଜଣେ ସାଧାରଣ ଗ୍ରାହକ ସେହି ମେଡିସିନ୍ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବେ ।

ଅଗଷ୍ଟ ୧ ତାରିଖରୁ ଏହି ନିୟମ ଲାଗୁ କରାଯାଇଛି । ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଫାର୍ମା କମ୍ପାନୀମାନଙ୍କୁ ଏନେଇ ଆଦେଶ ଦେଇଛନ୍ତି । ଏଣିକି ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ମେଡିସିନରେ କ୍ୟୁଆର୍ କୋଡ୍ ଲଗାଇବାକୁ ବାଧ୍ୟ । ଯାହାଦ୍ୱାରା ଜଣେ ସାଧାରଣ ଲୋକଟିଏ କ୍ୟୁଆର କୋଡକୁ ସ୍କାନ କରି ଔଷଧ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜାଣିପାରିବେ ।

କେନ୍ଦ୍ର ସରକାର ଦେଶରେ ବଢୁଥିବା ନକଲି ଔଷଧ କାରବାରକୁ ରୋକିବାକୁ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି । ଅସଲରେ ଗତ ବର୍ଷ ନଭେମ୍ବର ମାସରେ ଏହି ପଦକ୍ଷେକ୍ଷପ ଗ୍ରହଣ କରାଯାଇଥିଲା । ଗତକାଲି ଏ ନେଇ ବିଧିବଦ୍ଧ ନୋଟିଫିକେସନ୍ ଜାରି କରାଯାଇଥିବାବେଳେ, ଅଗଷ୍ଟ ୧ ତାରିଖରୁ ଏହା ଲାଗୁ କରିଦିଆଯାଇଛି ।