ସାମ୍ପୁରେ କ୍ୟାନସର ବିପଦ ! ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଲା ୟୁନିଲିଭର

245

କନକ ବ୍ୟୁରୋ : ସାମ୍ପୁ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ସାମ୍ପୁ ବ୍ୟବହାର ଦ୍ୱାରା ହୋଇପାରେ କ୍ୟାନସର ରୋଗ । ଏହା ଆମେ କହୁନୁ । ଜଣାଶୁଣା କମ୍ପାନୀ ୟୁନିଲିଭରର ଏକାଧିକ ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିନାଲ ମିଳିଥିବା ଜଣାପଡ଼ିଛି । ଡୋଭ୍, ନେକ୍ସସ୍, ସୁଆଭ୍, ଟିଜି ଏବଂ ଟ୍ରେସମି ଏୟାରସୋଲୋ ଡ୍ରାଏ ଶାମ୍ପୁକୁ ଆମେରିକା ବଜାରରୁ ଫେରାଇ ଆଣିଛି କମ୍ପାନୀ । ଏକ ରିପୋର୍ଟ ଅନୁସାରେ, ଏଥିରେ ବେଞ୍ଜିନ ଥିବା ଜଣାପଡ଼ିଛି ।

ଆମେରିକା ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ବା ଏଫଡିଏ ଅନୁସାରେ, ଏସବୁ ଉତ୍ପାଦ ୨୦୨୧ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ଏବଂ ସମଗ୍ର ଦେଶରେ ରିଟେଲରଙ୍କୁ ବିତରଣ କରାଯାଇଥିଲା । ବେଞ୍ଜିନ ଦ୍ୱାରା ମଣିଷକୁ କ୍ୟାନସର ହୋଇପାରେ । ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରିପାରେ । ଏହା ଚର୍ମ, ନାକ ଓ ପାଟି ଦେଇ ଯାଇପାରିବ । ଯାହା ଫଳରେ ଲ୍ୟୁକେମିଆ ଓ ବ୍ଲଡ୍ କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ଥାଏ । ଏଫଡିଏର କହିବା ଅନୁସାରେ, ଲୋକେ ଏଭଳି ଉତ୍ପାଦର ବ୍ୟବହାର ବନ୍ଦ କରିବା ଦରକାର ଏବଂ ନିଜ ଟଙ୍କା ଫେରସ୍ତ ପାଇବା ପାଇଁ ୟୁନିଲିଭରର ୱେବସାଇଟର ସହାୟତା ନେଇପାରିବେ । ତେବେ ଏନେଇ ୟୁନିଲିଭର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।