ଦେଶରେ ଥମୁନି ନାଗରିକତା ନିଆଁ : ଜୁମା ନମାଜ ଆଗରୁ ଉତ୍ତରପ୍ରଦେଶରେ ୧୪ ଜିଲ୍ଲାରେ କଡା ସୁରକ୍ଷା , ଇଣ୍ଟରନେଟ୍ ସେବା ଠପ୍

89

କନକ ବ୍ୟୁରୋ : ଦେଶରେ ଥମୁନି ନୂଆ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦର ନିଆଁ । ଏହା ମଧ୍ୟରେ ଉତ୍ତରପ୍ରଦେଶରେ ପୁଣି ଥରେ ହିଂସା ତେଜିବାର ଆଶଙ୍କା ପ୍ରକାଶ ପାଇଛି । ଆଜି ଜୁମା ନମାଜ ଆଗରୁ ଉତ୍ତରପ୍ରଦେଶରେ ପୁଣି ସ୍ଥିତି ଅଶାନ୍ତ ହେବା ଆଶଙ୍କା ରହିଛି । ତେବେ ପୋଲିସ ବିଭିନ୍ନ ମୁସଲିମ୍ ସଂଗଠନ ସହିତ ଶାନ୍ତି ବାର୍ତ୍ତା କରିଛି । ନମାଜ ବେଳେ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ବ୍ୟବସ୍ଥା କରୁଛି ୟୁପି ପୋଲିସ । କୌଣସି ପ୍ରକାର ଅଘଟଣକୁ ଏଡାଇବାକୁ ଉତ୍ତରପ୍ରଦେଶର ୧୪ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୪ ଜିଲ୍ଲାରେ ଇଣ୍ଟରନେଟ୍ ସେବା ଠପ୍ କରି ଦିଆଯାଇଛି ।

ମୁଜାଫରନଗର, ଗୋରଖପୁର, ଲକ୍ଷ୍ନୌ ପରି ଅଂଚଳରେ ଜୁମା ନମାଜ ଆଗରୁ ପୋଲିସ କରିଛି ଫ୍ଲାଗ ମାର୍ଚ୍ଚ । ପୁରା ଅଞ୍ଚଳରେ ଆସାମାଜିକ ତତ୍ୱ ଏବଂ ଆନ୍ଦୋଳନକାରୀଙ୍କ ଉପରେ ୟୁପି ପୋଲିସ ରଖିଛି କଡା ନଜର । ସେହିଭଳି ସହାରନପୁର , ଆଗ୍ରା, ଗାଜିଆବାଦ, ମଥୁରା, ମୁଜାଫରପୁର, କାନପୁର ଭଳି ୧୪ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।

ପୂର୍ବ ଶୁକ୍ରବାରରେ ହୋଇଥିବା ହିଂସା ପରେ ୩୭୨ରୁ ଅଧିକ ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି । ସୂଚନା ମୁତାବକ, ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୧୧୧୩ଲୋକଙ୍କୁ ଗିରଫ କରାଯାଇଛି । ପୂର୍ବ ଶୁକ୍ରବାର ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଆଜି ୟୁପିରେ ହାଇଆର୍ଲଟ ଜାରି କରାଯାଇଛି ।