ସୁଶାସନ ସୂଚକାଙ୍କ :୧୪ ତମ ସ୍ଥାନରେ ଓଡିଶା, ତାମିଲନାଡୁ ଆଗରେ

514

କନକ ବ୍ୟୁରୋ : କେନ୍ଦ୍ର ସରକାର ପ୍ରଥମ ଥର ଲାଗି ଜାରି କରିଛନ୍ତି ସୁଶାସନ ସୂଚକାଙ୍କ । ଏହି ସୁଶାସନ କ୍ଷେତ୍ରରେ ତାମିଲନାଡୁ ଏକ ନମ୍ବରରେ ଆଉ ଓଡିଶା ୧୪ ନମ୍ବରରେ ରହିଛି । ୧୦ଟି କ୍ଷେତ୍ରରେ ଏହି ଇଣ୍ଡେକ୍ସ ଜାରି କରିଛି କେନ୍ଦ୍ର । ୩ଟି ଗ୍ରୁପରେ ବିଭକ୍ତ ହୋଇଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ । ବଡ ରାଜ୍ୟ, ନର୍ଥଇଷ୍ଟ ଏବଂ ହିଲ ଷ୍ଟେଟ, କେନ୍ଦ୍ର ଶାସିତ ଅଞ୍ଚଳ । ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ କହିବାନୁସାରେ ସୁଶାସନର ବିଭିନ୍ନ ମାପଦଣ୍ଡ ଆଧାରରେ ତିଆରି ହୋଇଛି ଏହି ଇଣ୍ଡେକ୍ସ । ସୁଶାସନର ସ୍ଥିତି ମାପିବା ଏବଂ ରାଜ୍ୟ ସରକାରମାନଙ୍କ ପଦକ୍ଷେପର ପ୍ରଭାବକୁ ତର୍ଜମା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ମାନବସମ୍ବଳ ବିକାଶ, କୃଷି , ସାମିଜକ କଲ୍ୟାଣ, ବିକାଶ ଓ ପରିବେଶ ଭଳି ୧୦ କ୍ଷେତ୍ର ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନର ମୂଲ୍ୟାଙ୍କନ କରାଯାଇଛି । ଏହି ସୂଚକାଙ୍କରେ ଓଡିଶା ତଳ ଆଡୁ ପଞ୍ଚମ ତଥା ଚତୁର୍ଦ୍ଦଶ ସ୍ଥାନରେ ଅଛି । ସୂଚକାଙ୍କରେ ତାମିଲନାଡୁ ପ୍ରଥମରେ ଅଛି । ଏହାଛଡା ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟ ପ୍ରଥମ ୬ଟି ସ୍ଥାନରେ ଅଛନ୍ତି । ୧୮ଟି ବଡ ରାଜ୍ୟମାନଙ୍କ ତାଲିକାରେ ଓଡିଶା ପ୍ରଥମ ୧୦ଟି ରାଜ୍ୟର ତାଲିକାରେ ସ୍ଥାନ ପାଇବାରେ ସକ୍ଷମ ହୋଇନାହିଁ ।

କ୍ଷେତ୍ରୱାରି ଆକଳନରେ ସାର୍ବଜନୀକ ଭିତ୍ତିଭୂମି ଓ ଉପଯୋଗରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ଏଥିରେ ଓଡିଶା ସର୍ବନିମ୍ନ ୧୮ ତମ ସ୍ଥାନରେ ରହିଛି । ଜନସ୍ୱାସ୍ଥ୍ୟରେ ଓଡିଶାର ସ୍ଥାନ ୧୮ରେ ରହିଛି । କୃଷି ଓ ସମ୍ବନ୍ଧିତ କ୍ଷେତ୍ର ସୂଚକାଙ୍କରେ ଓଡିଶା ୧୦, ଆର୍ଥିକ ଶାସନ ସୂଚକାଙ୍କରେ ଓଡିଶାର ସ୍ଥାନ ୯, ସାମାଜିକ କଲ୍ୟାଣ ବିକାଶ ସୂଚକାଙ୍କରେ ଓଡିଶା ସ୍ଥାନ ୬ ନମ୍ବରରେ ରହିଛି । ସୁଶାସନ ଇଣ୍ଡେକ୍ସ ପ୍ରସ୍ତୁତ କରିବା ପାଇଁ ମୋଦି ସରକାରର ପ୍ରଥମ ପାଳିରେ ପରିକଳ୍ପନା କରାଯାଇଥିଲା ।