ସମ୍ବଲପୁରରେ ଇଣ୍ଟରନେଟ୍ ଫେଲ। ବରଗଡ଼ରେ ହୋଟେଲ ଫୁଲ୍।

225

କନକ ବ୍ୟୁରୋ: ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ରହିବା ଓ ଇଂଟରନେଟ ସେବା ବନ୍ଦ ରହିବାର ପାଶ୍ୱର୍ ପ୍ରଭାବ ଦେଖିବାକୁ ମିଳିଛି । ୭ ଦିନ ହେବ ସହରରେ ଇଂଟରନେଟ୍ ସେବା ବନ୍ଦ ଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ବିଶେଷକରି ଯେଉଁମାନେ ଅନଲାଇନରେ କାମ କରନ୍ତି, ସେମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଆଉ କାମ କରିବା ପାଇଁ ଏବେ ବରଗଡ ମୁହାଁ ହୋଇଛନ୍ତି । ବରଗଡ ସହରର ବିଭିନ୍ନ ହୋଟେଲରେ ରହି ଅନଲାଇନରେ କାମ କରୁଛନ୍ତି । କେବଳ ଅନ୍ଲାଇନ୍ କାମ ପାଇଁ ନୁହେଁ, ଯେଉଁମାନେ ଅନଲାଇନରେ ପାଠ ପଢୁଛନ୍ତି, ସେମାନେ ମଧ୍ୟ ବରଗଡ ଆସି ହୋଟେଲ୍ରେ ରହି ପାଠ ପଢୁଥିବା କହିଛନ୍ତି ହୋଟେଲ ବ୍ୟବସାୟୀ ।

କୁଚିଣ୍ଡାରେ ମଧ୍ୟ ଇଂଟରନେଟ୍ ବନ୍ଦ ରହିଥିବାରୁ, ସେହି ଅଂଚଳର ଲୋକେ ଝାରସୁଗୁଡାର ମାଲିଡିହି ଅଂଚଳର ରାସ୍ତାକଡରେ ବସି ନେଟ୍ ଖୋଜୁଥିବା ଦେଖିବାକୁ ମିଳିଛି । କିଏ ଗଛ ମୂଳେ ବସି କାମ କରୁଛି ତ ଆଉ କିଏ ରାସ୍ତାକଡରେ ବସି ମୋବାଇଲ ଓ ଲାପଟପରେ କାମ କରୁଛନ୍ତି ।

କେବଳ ସାଧାରଣ ଲୋକ ନୁହଁନ୍ତି, ଇଂଟରନେଟ ଆସୁନଥିବାରୁ ଜିଲ୍ଳାର ପଡୋଶୀ ବରଗଡ ଜିଳ୍ଲାକୁ ଯାଇ କାମ କରୁଛନ୍ତି ସରକାରୀ କର୍ମଚାରୀ । ସରକାରୀ କାମ କରିବା ପାଇଁ ସମ୍ବଲପୁର ପୌର ପରିଷଦର କର୍ମଚାରୀଙ୍କୁ ଇଂଟରନେଟ୍ ସୁବିଧା ସହ ସ୍ୱତନ୍ତ୍ର କୋଠରୀ ଯୋଗାଇ ଦେଇଛି ବରଗଡ଼ ପୌର ପରିଷଦ ।

ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ପ୍ରଶାସନ । ଲଗାତାର ଭାବେ ଦୁଇ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ଆଲୋଚନା କରୁଛି ଜିଲ୍ଲା ପ୍ରଶାସନ । ଆଉ ଖୁବ୍ ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି କହିଛନ୍ତି, ଜିଲ୍ଲାପାଳ । ତେବେ ସହରରେ ବ୍ରଡବ୍ୟାଣ୍ଡ ଓ ୱାଇଫାଇ ସେବା ଫେରିଛି । କିନ୍ତୁ ଆହୁରି ୪୮ଘଂଟା ପର୍ଯ୍ୟନ୍ତ ମୋବାଇଲ ଫୋନ ଇଂଟରନେଟ ସେବାକୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତି ନେଇଛି ।