ପ୍ରଚଣ୍ଡ ଜାଡରେ ଥରିବ ଓଡିଶା : ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଛି ଶୁଷ୍କ ଓ ଥଣ୍ଡା ବାୟୁ

ପାଣିପାଗ ବିଶେଷଜ୍ଞଙ୍କ ଆକଳନ. ଆସନ୍ତା ୪ ଦିନ ଆହୁରି ଖସିବ ୩ରୁ ୪ ଡିଗ୍ରୀ ତାପମାତ୍ରା; ୧୫ ଡିଗ୍ରୀ ତଳେ ରାଜ୍ୟର ୨୨ ସହର

175

କନକ ବ୍ୟୁରୋ : ମାର୍ଗଶୀର ମାସ ସରିଲା ବେଳକୁ ଜାଡରେ ଥରୁଛି ସାରା ଓଡିଶା । ପାଣିପାଗ ବିଶେଷଜ୍ଞଙ୍କ ଆକଳନ କହୁଛି ଏବେ ଥଣ୍ଡା କମିବ ନାହିଁ । ରାଜ୍ୟକୁ ଏବେ ଶୀତ ପ୍ରବାହ ଅଧିକ ହେବାରେ ଲାଗିଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆସନ୍ତା ୪ ଦିନ ରାଜ୍ୟରେ ଆହୁରି ବଢିବ ଥଣ୍ଡାର ପ୍ରଭାବ । ଅର୍ଥାତ୍ ଏବେ ଥଣ୍ଡା କମ୍ ହେବନାହିଁ । ଆସନ୍ତା ପ୍ରାୟ ୪ ଦିନ ମଧ୍ୟରେ ରାଜ୍ୟରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ । ଗତ ଦୁଇ ଦିନ ହେବ ରାଜ୍ୟରେ ଜାଡ ବଢିଛି । ବୁଧବାର ରାତିରୁ ଏହି ଥଣ୍ଡା ଅଧିକ ହେବାରେ ଲାଗିଛି ।

ରାଜ୍ୟରେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହୋଇଛି । ରାଜ୍ୟରେ ପ୍ରାୟ ୨୨ ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଗଲାଣି । ଏପରି ଅବସ୍ଥାରେ ପାଣିପାଗ ବିଶେଷଜ୍ଞଙ୍କ ଆହୁରି ଥଣ୍ଡା ବଢିବାର ଆକଳନ ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି । ଦାରିଙ୍ଗିବାଡି ବର୍ତମାନ ରାଜ୍ୟର ସବୁଠୁ ଥଣ୍ଡା ଅଂଚଳ ଭାବରେ ଚିହ୍ନଟ ହୋଇଛି । ଦାରିଙ୍ଗିବାଡିରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୯ ଡିଗ୍ରୀକୁ ଖସି ଆସିଲାଣି ପାରଦ । ଗତକାଲି ରାତିରେ ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ଏବଂ କଟକରେ ରାତିରେ ତାପମାତ୍ରା ୧୪ ଡିଗ୍ରୀକୁ ଖସି ଆସିଥିବା ରେକର୍ଡ ହୋଇଛି ।

କେନ୍ଦୁଝରରେ ୧୦.୪ ଡିଗ୍ରୀ ଅଛି ରାତିର ତାପମାତ୍ରା । ପୁରା ରାଜ୍ୟକୁ ଦେଖିବାକୁ ଗଲେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ତଳକୁ ଖସି ଯାଇଛି । ଉପକୂଳ ଓଡିଶାରେ ପାରା ଦେଢ ଡିଗ୍ରୀ ତଳକୁ ଖସିଛି । ବର୍ତମାନ ରାଜ୍ୟକୁ ଉତର-ପଶ୍ଚିମ ତଥା ଉତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଥଣ୍ଡା ଆହୁରି ବଢିବ । ଏହି ଥଣ୍ଡା ବାୟୁ ପ୍ରବାହ ଆଗକୁ ଆହୁରି ଶକ୍ତିଶାଳୀ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଅର୍ଥାତ୍ ଆଗକୁ ଆହୁରି ବଢିବ ଜାଡ ।