ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ୪୦ ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯାଉ ବୁଷ୍ଟର ଡୋଜ

104

କନକ ବ୍ୟୁରୋ :  କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିପଦ ଦେଖାଦେବା ପରେ ଏହା ଉପରେ ନଜର ରଖିଥିବା କମିଟିର ବିଶେଷଜ୍ଞମାନେ ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞମାନେ ସରକାରଙ୍କୁ କହିଛନ୍ତି କି କରୋନାର ବଦଳୁଥିବା ସ୍ୱରୂପ ଏବେ ଲୋକମାନଙ୍କୁ ଅଧିକ ବିପଦକୁ ଟାଣିନେଇ ପାରେ । ତେଣୁ ଦେଶରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବାକୁ ସରକାର ବିଚାର କରିବାର ସମୟ ଆସିଛି । କହିରଖୁ କି ବର୍ତମାନ ସୁଦ୍ଧା ଭାରତରେ ୨ ଜଣଙ୍କ ଠାରେ କରୋନାର ଓମିକ୍ରନ ଭାରିଆଣ୍ଟ ଦେଖିବାକୁ ମିଳିଛି । ଆଇଏନଏସଏସିଓଜି ତାର ସପ୍ତାହିକ ବୁଲେଟିନରେ କହିଛି କି ଟିକା ନେଇ ନଥିବା ଲୋକଙ୍କୁ ତୁରନ୍ତ ଟିକା ଓ ୪୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବା ଉପରେ ସରକାର ବିଚାର କରନ୍ତୁ  । ଏହାସହ ବୟସ୍କ ଓ ରୋଗୀମାନଙ୍କୁ ଏନେଇ ପ୍ରାଥମିକତା ଦିଆଯାଉ ବୋଲି ବିଶେଷଜ୍ଞ ଟିମ୍ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଆଇଏନଏସଏସିଓଜି ତାର ସାପ୍ତାହିକ ବୁଲେଟିନରେ କହିଛନ୍ତି ଜନସ୍ୱାସ୍ଥ୍ୟ ପଦକ୍ଷେପକୁ ସକ୍ଷମ କରିବା ପାଇଁ ଏହିପରି ଭାରିଆଣ୍ଟର ଉପସ୍ଥିତି ଚିହ୍ନଟ କରିବା ପାଇଁ ଜିନୋମିକ୍ ନିୟାମକ ଗୁରୁତ୍ୱପୂର୍ଣ୍ଣ ହେବ । ଏହାସହ ସର୍ବାଧିକ ବିପଦ ସଂକୁଳ ଅଞ୍ଚଳ ଓ ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ସରକାର ସମ୍ପୂର୍ଣ୍ଣ ନଜର ରଖିବାର ଆବଶ୍ୟକତା ରହିଛି ।

ଉଲ୍ଲେଖଯୋଗ୍ୟ, ଆମେରିକା ଓ ବ୍ରିଟେନ ନିଜ ନିଜ ଦେଶରେ ୪୦ ରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜକୁ ଅନୁମୋଦନ କରିସାରିଛନ୍ତି । ଆମେରିକାର ଶୀର୍ଷ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୋସି କହିଛନ୍ତି କି, ସର୍ବୋତ୍ତମ ସମ୍ଭାବ୍ୟ ସୁରକ୍ଷା ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ଟିକା ଦିଆଯାଇଥିବା ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବା ଉଚିତ ।