ସୁନ୍ଦରଗଡରେ ଗଡିଲା ବାଇକ୍ ଆମ୍ବୁଲାନ୍ସ । ଦୁର୍ଗମ ଅଞ୍ଚଳବାସୀଙ୍କୁ ଦେଲା ନୂଆ ଜୀବନ ।

304

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲାରେ ଆରମ୍ଭ ହୋଇଛି ନିଆରା ସ୍ୱାସ୍ଥ୍ୟ ସେବା  । ଆରମ୍ଭ ହୋଇଛି ଅଭିନବ ବାଇକ୍ ଆମ୍ବୁଲାନ୍ସ ସେବା । ଫଳରେ ଏଠିକାର ଦୁର୍ଗମ ଅଞ୍ଚଳର ଗରୀବ ଲୋକଙ୍କୁ ଯେମିତି ମିଳିଛି ନୂଆ ଜୀବନ ।

ସୁନ୍ଦରଗଡରେ ଆରମ୍ଭ ହୋଇଛି ଅଭିନବ ସ୍ୱାସ୍ଥ୍ୟ ସେବା, ବାଇକ୍ ଆମ୍ବୁଲାନ୍ସ । ବାଇକରେ ସଂଲଗ୍ନ ହୋଇଛି ଏକ କ୍ୟାବିନ୍ । ଯେଉଁଥିରେ ରହିଛି ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ସିଟ୍ । ଯେଉଁ ସ୍ଥାନକୁ ଜନନୀ ଏକ୍ସପ୍ରେସ୍ ହେଉ ବା ୧୦୮ ଆମ୍ବୁଲାନ୍ସ ହେଉ କିଛି ଯାଇପାରୁନି ସେଠାରେ ସହଜରେ ଯାଇ ପହଞ୍ଚିପାରୁଛି ବାଇକ ଆମ୍ବୁଲାନ୍ସ । ତାହା ପୁଣି ଠିକ୍ ସମୟରେ । ଏଥିରେ ସୁନ୍ଦରଗଡର ଦୁର୍ଗମ ଅଞ୍ଚଳର ଲୋକେ ବିଶେଷ କରି ଗର୍ଭବତୀ ମହିଳା ଉପକୃତ ହୋଇପାରୁଛନ୍ତି ।

କେବଳ ହସ୍ପିଟାଲରେ ନେଇ ପହଞ୍ଚାଇବା ନୁହେଁ ବରଂ ଚିକିତ୍ସା ପରେ ରୋଗୀଙ୍କୁ ନେଇ ଘରେ ପହଞ୍ଚାଉଛି ଏହି ବାଇକ୍ ଆମ୍ବୁଲାନ୍ସ । ଗୋଟିଏ ବାଇକ୍ ଆମ୍ବୁଲାନ୍ସରୁ ଆରମ୍ଭ ହୋଇଥିବା ଏହି ସେବା ଏବେ ୯ ସଂଖ୍ୟାରେ ପହଞ୍ଚିଛି । ଏବେଯାଏଁ ୨୫୦୦ରୁ ଉଦ୍ଧ୍ୱର୍ ରୋଗୀଙ୍କ ସେବାରେ ଲାଗସାରିଲାଣି ଏହି ଆମ୍ବୁଲାନ୍ସ ।

ଏବେବି ଅନେକ ସ୍ଥାନରେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାରୁ ଖଟିଆ, ବାହୁଙ୍ଗୀରେ ରୋଗୀ ବୁହାହେବା ଘଟଣା ନଜରକୁ ଆସୁଛି । ଏପରି ସ୍ଥଳେ ସୁନ୍ଦରଗଡରେ ବାଇକ୍ ଆମ୍ବୁଲାନ୍ସ ବାସ୍ତବରେ ଦୁର୍ଗମ ଅଞ୍ଚଳ ବାସୀଙ୍କ ପାଇଁ ବରଦାନ ପାଲଟିଛି ।