ବିଦେଶ ବଜାରରେ ରହିଛି ଭାରତ ଆମ୍ବର ଚାହିଦା: ଓଡିଶାର ଢେଙ୍କାନାଳ ପାଲଟିଛି ଆମ୍ବର ହବ୍

366

କନକ ବ୍ୟୁରୋ: ଆମ୍ବ ଖାଇବାକୁ କିଏ ବା ଭଲ ନପାଏ । କିଏ ଗଛ ଚଢି ଆମ୍ବ ତୋଳି ଖାଏ ତ ପୁଣି ହାତ ପାହାନ୍ତାରେ ବି ମିଳିଯାଏ ଆମ୍ବ । କାହାକୁ କଂଚା ଆମ୍ବ ଭଲ ଲାଗେ ତ ପୁଣି କାହାକୁ ଗଛ ପାଚିଲା ଆମ୍ବ । ତେବେ ଓଡିଶାର ବାଇଗଣ ପଲେଇ, ମଲ୍ଲିକା, ରତ୍ନା, ଚୌସା, ଆଖୁରସ , ନୀଲମ, ଦସେହରୀ ଓ ଆମ୍ରପଲ୍ଲୀ ବେଶୀ ଉତ୍ପାଦନ ହୋଇଥାଏ । ତେବେ ଏସବୁ ଭିତରୁ ଅନେକଙ୍କର ପ୍ରଥମ ପସନ୍ଦ ହେଉଛି ଆମ୍ରପଲ୍ଲୀ । କିନ୍ତୁ ଆପଣ ଜାଣିଛନ୍ତି କି କେବଳ ଭାରତରେ ହଜାରରୁ ଅଧିକ ପ୍ରକାର ଆମ୍ବ ମିଳିଥାଏ । ତେବେ କେବଳ ଭାରତରେ ଏହି ଆମ୍ବର ଚାହିଦା ଥାଏ ତାହା ନୁହଁ ବରଂ ବିଦେଶରେ ବି ରହିଛି ଭାରତ ଆମ୍ବର ଚାହିଦା । ଆଗ୍ରିକଲଚର ଆଣ୍ଡ ପ୍ରୋସେସଡ ଫୁଡ ପ୍ରଡକ୍ଟସ ଏକ୍ସପୋର୍ଟ ଡେଭଲପମେଂଟ ଅଥରିଟି ବା ଏପିଇଡିଏ ଏନେଇ ସୂଚନା ଦେଇଛି ।

ଏସବୁ ଆମ୍ବ ଠାରୁ ଟିକେ ଅଲଗା ହେଉଛି ଅର୍କ ନୀଳାଂଚଳ କେଶରୀ । ଏହା ଓଡିଶାର ନିଜସ୍ୱ ଆମ୍ବ । ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରରେ ପ୍ରସ୍ତୁତ ହୋଇଛି ଏହି କିସମ । ଗତ ୨୫ ବର୍ଷ ଧରି ଆମ୍ବ ଉପରେ ଅନେକ ପରୀକ୍ଷଣ କରୁଥିବା ଏହି ଅନୁଷ୍ଠାନ ଅର୍କ ନୀଳାଂଚଳ କେଶରୀ ଉତ୍ପାଦନ କରି ଆମ୍ବର ଅଭାବକୁ ଦୁର କରିପାରୁଛି । ଏହି ଆମ୍ବ ମାର୍ଚରି ଅପ୍ରେଲ ମାସ ଭିତରେ ପାଚିଯାଏ । ଦେଖିବାକୁ ସୁନ୍ଦର ଓ ବାରି ମିଠା । ବଜାରରେ ଅନ୍ୟ କିସମର ଆମ୍ବ ଆସିନଥିବାବେଳେ ଏହି ଆମ୍ବ ବିକ୍ରି ହେବା ଆରମ୍ଭ ହୋଇଯାଏ ।

ଦକ୍ଷୀଣ ଭାରତରେ ଆମ୍ବ ସରୁଥିବାବେଳେ ଉତର ଭାରତରେ ଆମ୍ବ ପାଚିନଥାଏ ଏହି ସମୟରେ ଓଡିଶାର ଆମ୍ବ ଅନ୍ୟ ଏସବୁ ରାଜ୍ୟକୁ ରପ୍ତାନୀ ହୁଏ । ଓଡିଶାର ଢେଙ୍କାନାଳ ଆମ୍ବର ହବ ପାଲଟିଥିବାବେଳେ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ରପ୍ତାନୀ ହୋଇଥାଏ ।