ସରିଲା କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର: ହେଭିୱେଟ ନେତା କଲେ ଜୋରଦାର କ୍ୟାମ୍ପେନ

86

କନକ ବ୍ୟୁରୋ: କର୍ଣ୍ଣାଟକ ପାଇଁ ଶେଷ ହୋଇଛି ପ୍ରଚାର । ଶେଷ ଦିନର ପ୍ରଚାର ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ ଧୂଆଁଧାର ପ୍ରଚାର କରିଛନ୍ତି । ସବୁଦଳ ନିଜ ନିଜର ହେଭିୱେଟ ନେତାଙ୍କୁ ମଇଦାନକୁ ଆଣି ପ୍ରଚାର କରିଥିବାବେଳେ ଶେଷ ଦିନ ମଧ୍ୟ ଜୋରଦାର କ୍ୟାମ୍ପେନ କରିଛନ୍ତି । ବିଜେପି କହିଛି ବହୁମତ ସ ରାଜ୍ୟରେ ସରକାର ଗଠନ କରିବ ସେପଟେ କଂଗ୍ରେସକୁ ମିଳିଛି ସଂଜୀବନୀ ।କର୍ଣ୍ଣାଟକର ସବୁଠୁ ଅଧିକ ଗୁରୁତ୍ୱବହନ କରୁଥିବା ଲିଙ୍ଗାୟସ ସମ୍ପ୍ରଦାୟ କଂଗ୍ରେସକୁ ସମର୍ଥନ ଜଣାଇବା ନେଇ ଘୋଷଣା କରିଛି ।

ଶେଷ ଦିନରେ ଜମିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର । ସୋମବାର ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଓ ବିଜେପିର ହେଭିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକୀ ବିଭିନ୍ନ ସ୍ଥାନରେ ରାଲି କରି ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ରୋଡ ସୋ କରି ପ୍ରଚାର କରିଥିଲେ । ବିଜେପି ଅତି କମରେ ୧୨୭ ଟି ଆସନରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହା । ପୁରା ସଂଖ୍ୟାଗରିଷ୍ଠତା ସହ ଗତଥର ଅପେକ୍ଷା ୧୫ଟି ଅଧିକ ଆସନ ବିଜେପି ଜିତିବ ବୋଲି କହିଛନ୍ତି ଶାହା ।

କୁହାଯାଏ କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ ବେଶ ଗୁରୁତ୍ୱବହନ କରେ । ତେଣୁ ଏହି ଭୋଟକୁ ହାତେଇବା ପାଇଁ ସବୁବେଳେ ଉଦ୍ୟମ କରୁଥାନ୍ତି ପ୍ରମୁଖ ରାଜନୈତିକ ଦଳ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲିଙ୍ଗାୟତ ସମ୍ପ୍ରଦାୟ କଂଗ୍ରେସ ସହ ରହିବ ବୋଲି ପ୍ରେସ ବିବୃତି ଜାରି କରିଛି । ଯାହା ବିଜେପି ମୁଣ୍ଡବିନ୍ଧାର କାରଣ ହୋଇପାରେ ।

ସେପଟେ ଆସିଛ ସି-ଭୋଟର ସର୍ଭେ । କର୍ଣ୍ଣାଟକରେ କଂଗ୍ରେସ ଏକାକୀ ସରକାର ଗଢିବାର ସୁଯୋଗ ରହିଛି । ଏବିପି ନ୍ୟୁଜ୍ ସର୍ଭେ ମୁତାବକ କଂଗ୍ରେସ ୧୧୦ରୁ ୧୨୨ ଆସନ ଜିତିପାରେ । କର୍ଣ୍ଣାଟକ ବିଧାନସଭାରେ ମୋଟ ୨୨୪ ଆସନ ରହଛି । ସରକାର ଗଢିବାକୁ ୧୧୩ ଆସନ ଦରକାର । କଂଗ୍ରେସ ୪୦ ପ୍ରତିଶତରୁ ଅଧିକ ଭୋଟ ପାଇବା ସହ ମ୍ୟାଜିକ୍ ନମ୍ବର ହାସଲ କରିନେବ ବୋଲି ଆକଳନ କରାଯାଇଛି । ବିଜେପି ୭୩ ରୁ ୮୫ଟି ଆସନ ଜିତିବ ବୋଲି ସର୍ଭେରୁ ଜଣାପଡିଛି ।

ଶେଷ ପର୍ଯ୍ୟାୟରେ ଭୋଟରକୁ ଆକୃଷ୍ଟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଜେପି ପକ୍ଷରୁ ମାରାଥନ ପ୍ରଚାର କରିଥିଲେ । ତେବେ ଏଥରକ ନିର୍ବାଚନ କାହା ପାଇଁ କିଭଳି ଫଳାଫଳ ଆଣୁଛି ସେକଥା ମେ ୧୩ ନିର୍ବାଚନୀ ଫଳାଫଳ ପ୍ରକାଶ ପରେ ଜଣାପଡିବ