କ୍ରିକେଟ ମୈଦାନରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଫେବ୍ରୁଆରୀ ୧୨ରେ ହେବ ମହାମୁକାବିଲା ।

146

କନକ ବ୍ୟୁରୋ : କ୍ରିକେଟ ମୈଦାନରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ମହିଳା ଟି-୨୦ ବିଶ୍ୱକପରେ ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ୩ ବର୍ଷ ପୂର୍ବେ ଭାରତ ବିଶ୍ୱ ଚାମ୍ପିୟନ ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲା । ଭାରତର ବିଶ୍ୱ ଚାମ୍ପିୟନ ସ୍ୱପ୍ନକୁ ଅଷ୍ଟ୍ରେଲିଆ ଧୂଳିସାତ କରିଥିଲା । ଚଳିତ ଟି-୨୦ ବିଶ୍ୱକପରେ ମଧ୍ୟ ଅଷ୍ଟ୍ରେଲିଆ ଟାଇଟଲର ପ୍ରବଳ ଦାବିଦାର ରହିଛି । କିନ୍ତୁ ଅଷ୍ଟ୍ରେଲିଆର ଏହି ସ୍ୱପ୍ନକୁ ଭାଙ୍ଗିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତ । ଭାରତ ଥିବା ଗ୍ରୁପରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ପାକିସ୍ତାନ ଭଳି ଶକ୍ତିଶାଳୀ ଟିମ୍ ରହିଛି । ତେଣୁ ଗ୍ରୁପ୍-ବିରେ ହେବାକୁ ଥିବା ମ୍ୟାଚ୍ ବେଶ ରୋଚକ ହେବ ।

ହରମନପ୍ରୀତଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଫେବ୍ରୁଆରୀ ୧୨ରେ ପ୍ରଥମ ମୁକାବିଲାରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତୀୟ ମହିଳା ଦଳ । ସେହିଭଳି ଭାରତ ନିଜର ଦ୍ୱିତୀୟ ମ୍ୟାଚ୍ ୧୫ ଫେବ୍ରୁଆରୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ୧୮ ଫେବ୍ରୁଆରୀରେ ଇଂଲଣ୍ଡ ବିପକ୍ଷରେ, ୨୦ ଫେବ୍ରୁଆରୀରେ ଆୟରଲାଣ୍ଡ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଉଭୟ ଗ୍ରୁପରୁ ଶୀର୍ଷ ୨ ଦଳ ମହିଳା ଟି-୨୦ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇବେ । ୨୩ ଓ ୨୪ ଫେବ୍ରୁଆରୀରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଖେଳାଯିବ । ୨୬ ଫେବ୍ରୁଆରୀରେ ଫାଇନାଲ ମୁକାବିଲା ଖେଳାଯିବ ।